ଷ୍ଟିଙ୍ଗ ଅପରେସନରେ ଫସିଲେ ବିସିସିଆଇ ଚୟନ କମିଟି ମୁଖ୍ୟ ଚେତନ ଶର୍ମା । ଖୋଲିଦେଲେ ଭାରତୀୟ କ୍ରିକେଟ ଟିମର ଅନେକ ରାଜ୍ । ଖେଳାଳୀଙ୍କ ଫିଟନେସଠୁ ଆରମ୍ଭ କରି ଟିମ୍ ଚୟନ ପୁଣି ଅଧିନାୟକ କୋଚଙ୍କ ମଧ୍ୟରେ ମନମାଳିନ୍ୟର ବହୁ ଗୁମର ଫିଟାଇଛନ୍ତି ଚେତନ ଶର୍ମା । ସାଂଘାତିକ ଅଭିଯୋଗ ଆଣିଛନ୍ତି । ଚେତନ ଶର୍ମା କହିଛନ୍ତି, ଭାରତୀୟ କ୍ରିକେଟର ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ପାଇଁ ପେନକ୍ଲିୟର ଇଞ୍ଜେକ୍ସନ ନିଅନ୍ତି । ଖେଳାଳୀ ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଫିଟ୍ ଥିଲେ ବି କ୍ରିକେଟର ନେଉଛନ୍ତି ଇଞ୍ଜେକ୍ସନ । ତାରକା ଖେଳାଳୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ବି ଏନସିଏ ସେମାନଙ୍କୁ ଗ୍ରିନ୍ ସିଗନାଲ ଦେଇଥାଏ । ଏହାପରେ ଚୂଡାନ୍ତ ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ଛାଡି ଦିଆଯାଇଥାଏ ବୋଲି କହିଛନ୍ତି ଚେତନ ଶର୍ମା । ସେହିପରି ବିରାଟ କୋହଲି , ରୋହିତ ଶର୍ମା ଓ ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ଉପରେ ବି ମତ ରଖିଛନ୍ତି । ଚେତନ କହିଛନ୍ତି ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ କୋହଲି ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ । ଏବେ ବି ଦଳ କୋହଲିଙ୍କ କଥାରେ ଚାଲୁଛି । ରୋହିତ ଅଧିନାୟକ ଥିବା ସତ୍ତ୍ୱେ ସବୁ ନିଷ୍ପତ୍ତି କୋହଲି ନେଉଥିବା କହିଛନ୍ତି ଚେତନ ଶର୍ମା । ରୋହିତ ଓ କୋହଲିଙ୍କ ଭିତରେ କୌଣସି ବିବାଦ ନାହିଁ । କିନ୍ତୁ ପରସ୍ପର ପ୍ରତି ହିଂସା ଓ ଅହଙ୍କାର ଭାବ ରହିଛି । କୋହଲି ଓ ଗାଙ୍ଗୁଲିଙ୍କ ଭିତରେ ଇର୍ଷା ଯୋଗୁଁ ଫାଟ ସୃଷ୍ଟି ହୋଇଥିଲା । ଆହତ ସତ୍ତ୍ୱେ ଗତବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ବୁମରାଙ୍କୁ ସାମିଲ ନେଇ ଟିମ୍ ମ୍ୟାନେଜମେଣ୍ଟ ସହିତ ତାଙ୍କର ମତଭେଦ ହୋଇଥିବା କହିଛନ୍ତି ଚେତନ ଶର୍ମା ।