କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ମାନସଙ୍କ ହତ୍ୟାକାଣ୍ଡର ତଦନ୍ତଭାର ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଏହି ସୂଚନା ଦେଇଛନ୍ତି । ତଦନ୍ତ ଭାର ଜଣେ ଡିଏସପିଙ୍କୁ ପ୍ରଦାନ କରାଯିବ ଏବଂ ଏଥିପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି ବୋଲି ଏଡିଜି କହିଛନ୍ତି । ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଂପୂର୍ଣ୍ଣା ଓ୍ବେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଏପର୍ଯ୍ୟନ୍ତ ଫେରାର ଥିବାବେଳେ ପୋଲିସ ଶର୍ମିଷ୍ଠାଙ୍କ ଟେର୍ ପାଇନି । ଗତକାଲି ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବରଙ୍କୁ ଚାନ୍ଦବାଲି ପୋଲିସ ଗିରଫ କରିଥିବା ବେଳେ ଆଜି ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଶର୍ମିଷ୍ଠାଙ୍କ କାର୍ ଜବତ କରିଛି । ହତ୍ୟାକାଣ୍ଡର କାରଣ ଏବେ ବି ରହସ୍ୟାବୃତ୍ତ ରହିଥିବା ବେଳେ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ମାନସଙ୍କ ପରିବାର ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଅଭିଯୋଗ କରିବା ପରେ ଘଟଣା ଅଧିକ ରହସ୍ୟମୟ ହୋଇଯାଇଛି । ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ଖୁବଶୀଘ୍ର ଶର୍ମିଷ୍ଠାଙ୍କୁ ଗିରଫ କରାଯାଇପାରିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here