ପଞ୍ଚମ ପାଳିରେ ନବୀନଙ୍କ ମନ୍ତ୍ରୀ ପରିଷଦରେ କିଏ ହେବେ ମନ୍ତ୍ରୀ । ତୃତୀୟ ମହଲାରେ ମନ୍ତ୍ରୀ ପଦକୁ ନେଇ କେଉଁ କେଉଁ ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି । ମନ୍ତ୍ରୀ ପଦ ହାତେଇବା ପାଇଁ ପାୱାର କରିଡରରେ କାହାର ଚାଲିଛି ଲବି । ମହେଶ୍ୱର ମହାନ୍ତିଙ୍କୁ ଛାଡିଲେ ପୂର୍ବ ସରକାରରେ ମନ୍ତ୍ରୀ ଥିବା ସବୁ ନେତା ଏଥରକ ଜିତିଛନ୍ତି । ତେବେ ଗତ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଅଧିକାଁଶ ନେତାଙ୍କୁ ହଟେଇ ନୂଆ ନେତାଙ୍କୁ ମନ୍ତ୍ରୀ କରିବା ଯୋଜନାରେ ଅଛନ୍ତି ନବୀନ । ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ପଦ ପାଇଁ କିଛି କ୍ରାଇଟେରିଆ ବି ସ୍ଥିର କରାଯାଇଛି ।
ମନ୍ତ୍ରୀପଦ ପାଇଁ ଚର୍ଚ୍ଚାରେ ଥିବା ନେତାଙ୍କ ମଧ୍ୟରେ ଅଛନ୍ତି ସୌମ୍ୟ ରଂଜନ ପଟନାୟକ । ଖଣ୍ଡପଡାରୁ ସର୍ବାଧିକ ଭୋଟରେ ଜିତିଥିବା ସୌମ୍ୟରଂଜନ ରାଜ୍ୟସଭା ସାସଂଦ ଥିଲେ ମଧ୍ୟ ବିଜେଡି ତାଙ୍କୁ ଖଣ୍ଡପଡାରେ ପ୍ରାର୍ଥୀ କରିଥିଲା । କେବଳ ସୌମ୍ୟରଂଜନ ନୁହଁନ୍ତି, ରାଜ୍ୟସଭା ସାଂସଦ ଥାଇ ନିର୍ବାଚନ ଜିତିଥିବା ପ୍ରତାପ ଦେବଙ୍କ ନାଁ ମଧ୍ୟ ସର୍ଟଲିଷ୍ଟରେ ରହିଛି । କଂଗ୍ରେସ ଛାଡି ଆସିଥିବା ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଗତଥର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ଦଳର ତିନିଜଣଙ୍କ ମଧ୍ୟରୁ ଦୁଇ ଯୁବ ନେତାଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରିବାର ସମ୍ଭାବନା ରହିଛି । ସେମାନେ ହେଲେ ପ୍ରଣବ ପ୍ରକାଶ ଦାସ ଓ ଅରୁଣ କୁମାର ସାହୁ ।
ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଓ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାର ସମ୍ଭାବନା ରହିଛି । ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ନିମାପଡା ବିଧାୟକ ସମୀର ଦାସ ମଧ୍ୟ ଚର୍ଚ୍ଚିତ ତାଲିକାରେ ରହିଛନ୍ତି । ମହିଳାଙ୍କ ମଧ୍ୟରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାର ସମ୍ଭାବନା ରହିଛି । ପୁର୍ବରୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସଦସ୍ୟ ରହି ଆସିଥିବା ନେତାଙ୍କ ମଧ୍ୟରୁ ସୂର୍ଯ୍ୟନାରାୟଣ ପାତ୍ର, ଅଶୋକ ପଣ୍ଡା, ସୁଶାନ୍ତ ସିଂ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ଦେବୀ ମିଶ୍ର, ଓ ଚନ୍ଦ୍ର ସାରଥୀ ବେହେରାଙ୍କୁ ପୁଣି ସାମିଲ କରିବାର ସମ୍ଭାବନା ରହିଛି । ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଶଶୀଭୂଷଣ ବେହେରା, କିଶୋର ମହାନ୍ତି ଓ ପ୍ରଦୀପ ଅମାତଙ୍କ ମଧ୍ୟରୁ ଜଣଙ୍କୁ ବାଚସ୍ପତି କରିବା ପାଇଁ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here