ବଳି ପଡିଲେ ବିପିନ ପ୍ରଧାନ । ଦୀର୍ଘଦିନ ଧରି ଦିଗପହଣ୍ଡିରେ ବିଜେଡି ସଂଗଠନ କରିଥିବା ବିପିନ ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।
ଦିଗପହଣ୍ଡିରେ ବିଜେଡି ସଂଗଠନକୁ ମଜଭୁତ କରିଥିଲେ ବିପିନ ପ୍ରଧାନ । ପୂର୍ବରୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ରହିଥିଲେ, ଏବେ ଜିଲ୍ଲା ପରିଷଦ ସଦସ୍ୟ । ମାତ୍ର ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ନିର୍ବାଚନକୁ ନେଇ ମୁହାଁମୁହିଁ ହୋଇଥିଲେ ବିପିନ ପ୍ରଧାନ ଓ ବିପ୍ଳବ ପାତ୍ର । ବିପିନଙ୍କ ପାଖରେ 14 ଜଣ ସମିତି ସଭ୍ୟ ଥିବା ବେଳେ ବିପ୍ଳବଙ୍କ ପାଖରେ ଥିଲେ 10 ଜଣ ସମିତି ସଭ୍ୟ । ଉଭୟ ବିପିନ ଓ ବିପ୍ଳବ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇ ଦିଗପହଣ୍ଡିରେ ନିଜ ଦବଦବା ରଖିବାକୁ ଚେଷ୍ଟା କରୁଥିଲେ । ମାତ୍ର ଯେତେବେଳେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ପ୍ରାର୍ଥୀ ପରାଜୟ ସୁନିଶ୍ଚିତ ଜଣାପଡିଲା, ସେତେବେଳେ ନିର୍ବାଚନ ବାତିଲ କରିଦିଆଗଲା । ଏଥିରେ ଉତ୍ତ୍ୟକ୍ତ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସ ଆଗରେ ହଙ୍ଗାମା କଲେ । ଏହାର ପରିଣାମ ସ୍ବରୁପ ପୁରୁଖା ସଂଗଠକ ବିପିନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଆଜି ଦଳର ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କ ଦସ୍ତଖତରେ ବିପିନଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା କୁହାଯାଇଛି ।
ଆଗକୁ ନିର୍ବାଚନ ଆସୁଛି । ବିପିନ ଚାହୁଁଥିଲେ ଦଳରୁ ବିଧାୟକ ପ୍ରାର୍ଥୀ ହେବେ । ମାତ୍ର ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ନିଜ ପତିଆରା ବିସ୍ତାର କରିବାକୁ ଚାହୁଁଥିଲେ । କେବଳ ଦିଗପହଣ୍ଡି ନୁହେଁ, ରାଜନୀତି ପାଣିପାଗ ଯାହା କହୁଛି ଆଗକୁ ଅନେକ ସ୍ଥାନରେ ଏମିତି ବିଜେଡିକୁ ବିଜେଡି ସହ ଲଢେଇ କରିବାକୁ ହେବ ।