ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ । ଆଜି ସଂଧ୍ୟା ସାଢେ ସାତଟାରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳିରୁ ସେ ନିର୍ବାଚିତ ହୋଇଥିଲେ । ରାଜ୍ୟ ବିଧାନସଭାକୁ ସେ ସାତଥର ନିର୍ବାଚିତ ହୋଇଥିଲେ । ମୋହନା ବିଧାନସଭା ଆସନରୁ ଚାରିଥର ଏବଂ ଦିଗପହଣ୍ଡି ଆସନରୁ ତିନିଥର ନିର୍ବାଚିତ ହୋଇଥିଲେ । ବିଭିନ୍ନ ବିଭାଗର ମନ୍ତ୍ରୀ ରହିବା ସହ ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାରେ ସେ ଜଣେ ଲୋକପ୍ରିୟ ନେତା ଭାବେ ପ୍ରତିଷ୍ଠା ଲାଭ କରିଥିଲେ । ରାଜନୀତିରେ ଏବଂ ସର୍ବସାଧାରଣରେ ସେ ଆନା ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ବିଜେଡି ଜଣେ ଲୋକପ୍ରିୟ ଦକ୍ଷ ନେତାଙ୍କୁ ହରାଇଲା ।
ଦୀର୍ଘ ରାଜନୈତିକ ଜୀବନରେ ସୂର୍ଯ୍ୟନାରାୟଣ ପାତ୍ର ଜଣେ ସଫଳ ବ୍ୟକ୍ତିତ୍ବ । ବିଜୁ ପଟ୍ଟନାୟକଙ୍କ ଜଣେ ଅନୁଗତ ନେତା ଭାବେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । 1990 ପରଠାରୁ ସେ କୌଣସି ନିର୍ବାଚନ ହାରି ନଥିଲେ । ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ନେତାମାନଙ୍କ ମଧ୍ୟରେ ସୂର୍ଯ୍ୟ ପାତ୍ର ଅନ୍ୟତମ ନେତା ଥିଲେ ।
ବ୍ୟକ୍ତିଗତ ଭାବେ ସୂର୍ଯ୍ୟନାରାୟଣ ପାତ୍ର ଜଣେ ମେଳାପି ସ୍ବଭାବର ଲୋକ ଥିଲେ । ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ସହ ତାଙ୍କର ଅତି ଉତ୍ତମ ସଂପର୍କ ଥିଲା ।
ସୂର୍ଯ୍ୟ ପାତ୍ରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ନେତା, ବିଧାୟକ, ମନ୍ତ୍ରୀ ଓ ସାଂସଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here