ଜାନୁଆରୀ 26ରେ ଲାଲକିଲ୍ଲାରେ ଘଟିଥିବା ହିଂସାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଦୀପ ସିଦ୍ଧୁଙ୍କୁ ଗିରଫ କରିଛି । ଘଟଣାଦିନ ଲାଲକିଲ୍ଲାରେ ବିକ୍ଷୋଭକାରୀମାନେ ଧାର୍ମିକ ପତାକା ଉଡାଇଥିଲେ ଏବଂ ଏହି ଘଟଣାରେ ଦୀପ ସିଦ୍ଧୁ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ଲାଲକିଲ୍ଲା ହିଂସାକାଣ୍ଡ ପରେ ଦିଲ୍ଲୀ ପୋଲିସ ରୁଜୁ କରିଥିବା ଏତଲାରେ ଦୀପ ସିଦ୍ଧୁ ଓ ଗ୍ୟାଙ୍ଗଷ୍ଟର ଲାକା ସଦାନା ନାଁ ଉଲ୍ଲେଖ କରିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଦୀପ ସିଦ୍ଧୁର ଜଣେ ମହିଳା ବାନ୍ଧବୀ କାଲିଫର୍ଣ୍ଣିଆରେ ରହୁଛନ୍ତି ଏବଂ ତାଙ୍କ ନିକଟକୁ ସେ ଲାଲକିଲ୍ଲାରେ ପତାକା ଉଡାଇବା ଭିଜୁଆଲ ପଠାଇଥିଲା ବୋଲି ପୋଲିସ କହିଛି । ଲାଲକିଲ୍ଲାରେ ତ୍ରିରଙ୍ଗା ପାଇଁ ଉଦ୍ଦିଷ୍ଟ ଖୁଣ୍ଟିରେ ସେଦିନ ଧାର୍ମିକ ପତାକା ଉଢାଯାଇଥିବା ବେଳେ ଦୀପ ସିଦ୍ଦୁ ଘଟଣାର ଭିଡିଓ ରେକର୍ଡିଂ କରି ସୋସିଆଳ ମିଡିଆରେ ଅପଲୋଡ୍ କରିଥିଲେ ବୋଲି ପୋଲିସ କହିଛି । 2018ରେ ଦୀପ ସିଦ୍ଧୁ ଏକ ପଞ଼୍ଜାବୀ ସିନେମାରେ ଅଭିନୟ କରିଥିଲେ । ଚାଷୀ ଆନ୍ଦୋଳନକୁ ସମର୍ଥନ କରିବାରେ ସେ ହେଉଛନ୍ତି ପ୍ରଥମ ସେଲିବ୍ରିଟୀ । ଲାଲକିଲ୍ଲା ହିଂସାକାଣ୍ଡ ପରେ ପୋଲିସ ଏତଲା ଦେବା ପରେ ସେ ଫେରାର ଥିଲେ ଏବଂ ଦିଲ୍ଲୀ ପୋଲିସ ତାଙ୍କ ସଂପର୍କରେ ସୂଚନା ଦେଲେ 1 ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା । ଚଣ୍ଡୀଗଡ ଓ ଅମ୍ବାଲା ମଧ୍ୟସ୍ଥ ଜିରାକପୁରରୁ ପୋଲିସ ଦୀପ ସିଦ୍ଧୁଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here