ପାଟକୁରାରେ ବିଜେଡି ପୁଣି ଉଡାଇଲା ବିଜୟ ବାନା । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପାଟକୁରାରେ ବିଜୟୀ ହେବା ସହ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିଧାନସଭା ସ୍ୱପ୍ନକୁ ଧୂଳିସାତ୍ କରିଦେଇଛନ୍ତି । ବିଜୟଙ୍କ ଠାରୁ ସାବିତ୍ରୀ ବହୁ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ପାଟକୁରା ଲଢେଇରେ ଅମାନତ ହରାଇଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ଦମ୍ଭୋକ୍ତି ଧୁଆଁ ବାଣରେ ପରିଣତ ହୋଇଛି । କିନ୍ତୁ ସବୁଠୁ ବଡ ଝଟକା ଲାଗିଛି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ । କାରଣ ଦୀର୍ଘ ୨୦ ବର୍ଷ ଧରି କ୍ଷମତାଠୁ ବହୁ ଦୂରରେ ରହିଥିବା ବିଜୟ ଏହି ନିର୍ବାଚନରେ ଜିତି ପୁଣିଥରେ ବିଧାନସଭାକୁ ରିଟର୍ଣ୍ଣ କରିବାକୁ ଯେଉଁ ଆଶା ବାନ୍ଧି ଥିଲେ, ବିଜୟଙ୍କ ସମସ୍ତ ସ୍ୱପ୍ନକୁ ପାଣିରେ ମିଶାଇ ଦେଇଛନ୍ତି ସାବିତ୍ରୀ ଅଗ୍ରୱାଲ । ବିଜୟଙ୍କ କୋଡିଏ ବର୍ଷର ତପସ୍ୟା ଶୁଖୁଆ ଝୋଳରେ ଯାଇଛି । ବିଜୟ ମହାପାତ୍ର ରାଜ୍ୟ ରାଜନୀତିରେ ଜଣେ ଜଣାଶୁଣା ଚେହେରା । ୧୯୮୦ ରୁ ୨୦୦୦ ମସିହା ଯାଏଁ ସେ ଜନତା ଦଳ ଟିକେଟରୁ ପାଟକୁରାରୂ ନିର୍ବାଚିତ ହୋଇ ଆସୁଥିଲେ । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୨୦୦୦ ମସିହାରେ ବିଜେଡି ଗଠନରେ ବିଜୟ ମହାପାତ୍ରଙ୍କର ଥିଲା ପ୍ରମୁଖ ଭୁମିକା । କିନ୍ତୁ ୨୦୦୦ ମସିହା ନିର୍ବାଚନ ସମୟରେ ବିଜେଡି ବିଜୟଙ୍କୁ ପାଟକୁରାରୁ ପ୍ରାର୍ଥୀ କରିଥିଲେ ହେଁ ଶେଷ ସମୟରେ ନାଟକୀୟ ଢଙ୍ଗରେ ବିଜୟଙ୍କ ଟିକେଟ କାଟି ଦେଇଥିଲେ ନବୀନ । ୨୦୦୦ ମସିହାରୁ କ୍ଷମତା ଠାରୁ ଦୁରରେ ଅଛନ୍ତି ବିଜୟ ମହାପାତ୍ର । ବିଜେଡିରୁ ବିଦା ହେବା ପରେ ବିଜୟ ପାଟକୁରାରୁ ଦୁଇଥର ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେଡି – ବିଜେପି ମେଣ୍ଟ ଭାଙ୍ଗିବା ପରେ ୨୦୦୯ ରେ ପାଟକୁରାରୁ ବିଜେପି ପ୍ରାର୍ଥୀ ହୋଇଥିଲେ ବିଜୟ । କିନ୍ତୁ ତାଙ୍କୁ ବେଦପ୍ରକାଶ ଅଗ୍ରୱାଲଙ୍କଠୁ ପରାଜିତ ହେବାକୁ ପଡିଥିଲା । ଏହାପରେ ବିଜୟ ପାଟକୁରା ଆସନ ଛାଡି ୨୦୧୪ରେ ମହାକାଳପଡାରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ସେଠାରୁ ମଧ୍ୟ ପରାଜୟ ବରଣ କରିଥିଲେ ବିଜୟ । ୨୦୧୯ରେ ପୁଣି ଥରେ ପାଟକୁରା ନିର୍ବାଚନ ମଣ୍ଡଳିକୁ ଫେରି ଅନୁକମ୍ପା ଭୋଟ ଆଶାରେ ଥିବା ବିଜୟଙ୍କୁ ଶକ୍ତ ଝଟକା ଲାଗିଛି ।

LEAVE A REPLY

Please enter your comment!
Please enter your name here