ବିଜେଡିର ନବମ ଥର ପାଇଁ ସଭାପତି ହେଲେ ନବୀନ ପଟ୍ଟନାୟକ । ସଭାପତି ହେବା ନେଇ ଘୋଷଣା କରିଛନ୍ତି ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ । ନବୀନ ଏକମାତ୍ର ପ୍ରାର୍ଥୀଭାବେ ଦାଖଲ କରିଥିଲେ ନାମାଙ୍କନ । ସଭାପତି ହେବା ପରେ ଶଙ୍ଖଭବନରେ ଖଣ୍ଡୁଆପାଟ ଦେଇ ନବୀନଙ୍କୁ ସ୍ୱାଗତ କରିଛନ୍ତି କର୍ମୀ । ବିଜେଡି ସାଙ୍ଗଠନିକ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ନବୀନ । ତେବେ ନିର୍ବାଚିତ ହେବା ପରେ ନବୀନ କହିଛନ୍ତି ଯେ, ୨000 ରୁ ୨୪ ପର୍ଯ୍ୟନ୍ତ ଶାସନ ପାଇଁ ଓଡିଶାବାସୀ ଆର୍ଶୀବାଦ କରିଛନ୍ତି । ବିଜେଡିର ସାଙ୍ଗଠନିକ ଦକ୍ଷତାକୁ କେହି ହେୟ ମନେ କରିପାରିବେନି । ଗତ ନିର୍ବାଚନରେ ଫଲ୍ସ ନ୍ୟାରେଟିଭ୍ ପାଇଁ ଅଳ୍ପ ଭୋଟରେ ହାରିଲୁ । ବିଜେଡି ସରକାରରେ ରହେ ବା ନରହେ ସର୍ବଦା ସେବା କରିଚାଲିବ । ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଜେଡି ଯୋଡି ହୋଇ ରହିବ । ସାମାଜିକ ଗଣମାଧ୍ୟମରେ ଉନ୍ନତି ଆଣି ଲୋକଙ୍କ ପାଖରେ ପହଁଞ୍ଚିବୁ । ଦଳର କର୍ମୀ ହେଉଛନ୍ତି ଆମର ରିୟଲ ଆସେଟ୍ ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏଥର ସଭାପତି ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରିଲା ନାହିଁ । 33 ଜିଲ୍ଲାରେ ସାଙ୍ଗଠନିକ ନିର୍ବାଚନ ସରି ପାରି ନଥିବା ବେଳେ ନିର୍ବାଚନ ଶେଷ ହୋଇଥିବା 18 ଟି ଜିଲ୍ଲାର ସଭାପତିଙ୍କ ନାଁ ବି ଆନୁଷ୍ଠାନିକ ଭାବେ ଘୋଷଣା ହେଲାନାହିଁ । ପ୍ରଥମଥର ପାଇଁ ବିଜେଡି ଦଳୀୟ ନିର୍ବାଚନକୁ ନେଇ ଦ୍ବନ୍ଦ୍ବରେ ପଡିଯାଇଛି ।