ନବୀନ ନିବାସରେ ନବୀନ-ନୀତିଶ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଲୋଚନା କରିଛନ୍ତି । ଜାତୀୟସ୍ତରରେ ସବୁ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ନୀତିଶ କୁମାର ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମନେଇବା ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର ଜାତୀୟସ୍ତରରେ ଅଣ-ବିଜେପି ରାଜନୀତିରେ ବିଜେଡିର ଭୂମିକା କଣ ରହିବ, ତାହା ସ୍ପଷ୍ଟ ହୋଇନାହିଁ । ନବୀନଙ୍କୁ ଭେଟିବା ପୂର୍ବରୁ ନୀତିଶ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ, କଂଗ୍ରେସ ସଭାପତି ଖାଡଗେ ପ୍ରମୁଖଙ୍କୁ ଭେଟି ସାରିଛନ୍ତି । ଆସନ୍ତା ମେ 18ରେ ବିଜେପି ବିରୋଧରେ ନୂଆଦିଲ୍ଲୀରେ ବିରୋଧୀ ଏକାଠି ହେବେ । ମାତ୍ର ବିଜେପି ବିରୋଧରେ ବିଜେଡି ଏହି ବିରୋଧୀ ମହାମଞ୍ଚରେ ସାମିଲ ହେବ କି ନାହିଁ, ତାହା ସ୍ପଷ୍ଟ ସୂଚନା ମିଳିନାହିଁ । ଅନେକ ସମୟରେ ବିଜେଡି ବିଜେପିକୁ ସୁହାଇଲା ଭଳି ନିଷ୍ପତ୍ତି ନେଇ ଆସିଥିବାରୁ ନବୀନ ବିରୋଧୀ ମହାମଞ୍ଚରେ ସାମିଲ ହେବା ନେଇ ସନ୍ଦେହ ରହିଛି । ଅନ୍ୟପକ୍ଷରେ ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରି ଆସୁଛି ବୋଲି କହି ଆସୁଥିବା ବେଳେ ବିଜେପି ବିରୋଧୀ ମେଣ୍ଟରେ କଂଗ୍ରେସ ବି ସାମିଲ ରହିଛି ।
ନବୀନ-ନୀତିଶ ବୈଠକ ଶେଷରେ ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ନୀତିଶଙ୍କ ସହ ତାଙ୍କର ଦୀର୍ଘବର୍ଷର ବ୍ୟକ୍ତିଗତ ସଂପର୍କ ରହିଛି ଏବଂ ଆଲୋଚନା ବନ୍ଧୁତ୍ବପୂର୍ଣ୍ଣ ଥିଲା ବୋଲି କହିଛନ୍ତି ।
2024 ନିର୍ବାଚନ ପ୍ରସ୍ତୁତି କ୍ରମରେ ନୀତିଶ କୁମାର ସବୁ ବିରୋଧୀଙ୍କୁ ଏକଜୁଟ କରିବା କାମରେ ଲାଗିଥିବା ବେଳେ ଆସନ୍ତାକାଲି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here