ନାଟକୀୟ ଢଙ୍ଗରେ ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ପାକିସ୍ତାନର ବିଭିନ୍ନ ସହରରେ ଇମ୍ରାନଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ କରିଛନ୍ତି । ଅଧିକାଂଶ ସହରରେ ଇମ୍ରାନ ଖାନଙ୍କ ଗିରଫର ପ୍ରତିବାଦ କରିଛନ୍ତି ତାଙ୍କ ସମର୍ଥକମାନେ । ରାଓଲପିଣ୍ଡି, ଇସଲାମବାଦ, ଲାହୋର, କରାଚି, ଫଇସଲାବାଦ, ପେଶଓ୍ବାର ସହରରେ ନିଆଁ ଜଳୁଛି । ଲାହୋର ସ୍ଥିତ ଆର୍ମି କମାଣ୍ଡରଙ୍କ ବାସଭବନ ଭିତରକୁ ଇମ୍ରାନଙ୍କ ପିଟିଆଇ ଦଳର କର୍ମୀମାନେ ଧସେଇ ପଶିଛନ୍ତି । ରାଓଲପିଣ୍ଡି ସ୍ଥିତ ଆର୍ମି ହେଡକ୍ବାର୍ଟର ଭିତରକୁ ମଧ୍ୟ ପିଟିଆଇ କର୍ମୀମାନେ ପ୍ରବେଶ କରି ବ୍ୟାପକ ହିଂସାକାଣ୍ଡ କରିଛନ୍ତି । ପେଶଓ୍ବାର ସ୍ଥିତ ରେଡିଓ ଷ୍ଟେସନରେ ବିକ୍ଷୋଭକାରୀମାନେ ନିଆଁ ଲଗେଇ ଦେଇଛନ୍ତି । କରାଚିରେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ହିଂସାକାଣ୍ଡ ମୁକାବିଲା ପାଇଁ ପାକିସ୍ତାନର ଅନେକ ସହରରେ 144 ଧାରା ଜାରି କରାଯାଇଛି ।

ଆଜି ଇମ୍ରାନ ଖାନ୍ ଇସଲାମବାଦ ସ୍ଥିତ ହାଇକୋର୍ଟରେ ଏକ ମାମଲାର ଶୁଣାଣୀ ପାଇଁ କୋର୍ଟ ପରିସରରେ ପହଞ୍ଚିବା ମାତ୍ରେ ଅର୍ଦ୍ଧ ସାମରିକ ବାହିନୀ ତାଙ୍କୁ ଘେରାଓ କରି ନେଇଥିଲେ । ପରେ ତାଙ୍କୁ ଏକ କାରରେ ବସାଇ ନେଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here