ରାଜଧାନୀରୁ ନିଖୋଜ ହୋଇଥିବା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତଦେହ କେନ୍ଦୁଝର ଜଙ୍ଗଲରୁ ମିଳିଛି । ୧୨ ଦିନ ଧରି ନିଖୋଜ ଥିବା ଶୁଭମିତ୍ରାଙ୍କ ମୃତଦେହକୁ ସ୍ପେଶାଲ ସ୍କ୍ବାର୍ଡ ଉଦ୍ଧାର କରିଛି । ଏହି ହତ୍ୟାକୁ ନେଇ ପୋଲିସ୍ ଶୁଭମିତ୍ରାଙ୍କ ପୁରୁଷ ବନ୍ଧୁକୁ ଗିରଫ କରିଛି । ସେମାନେ ମଧ୍ୟ କନେଷ୍ଟବଳ ଥିବା କଥା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୬ ତାରିଖରୁ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ନିଖୋଜ ଥିଲେ । ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି ଆସି ସନ୍ଧ୍ୟା ସମୟରେ ଘରକୁ ଫେରିଥିଲେ । ଏହାପରଠୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା । ଶୁଭମିତ୍ରାଙ୍କ ଯୋଗାଯୋଗ ନହେବାରୁ ତାଙ୍କ ବାପା ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ବାପାଙ୍କ ଅଭିଯୋଗ ପରେ ପୋଲିସ ମାମଲାରେ ଛାନ୍ଭିନ୍ ଆରମ୍ଭ କରିଥିଲା । ମହିଳା କନେଷ୍ଟବଲ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ ବାବଦରେ ଜାଣିବାକୁ ପାଇଥିଲା ପୋଲିସ । ପରେ ତାଙ୍କୁ ମାରାଥନ ଜେରା କରିଥିଲା ପୋଲିସ । ଏହି ଜେରା ସମୟରେ ସେ ପୋଲିସ ଆଗରେ ସବୁ ସତ ମାନିଥିବା କୁହାଯାଉଛି । ତେବେ ପୁରୁଷ ବନ୍ଧୁ ଶୁଭମିତ୍ରାଙ୍କୁ କାହିଁକି ଓ କେମିତି ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଥିବାବେଳେ କମିଶନରେଟ୍ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।














