ଏସ୍ ଚନ୍ଦ୍ରଶେଖର ରାଓ । ୟାଙ୍କ ପାଇଁ ଖରା ବର୍ଷା , ଶୀତ କାକର ସବୁକିଛି ସମାନ । ନିଜର କାମ ଆଉ ଲୋକଙ୍କୁ ସଚେତନ କରିବା ପାଇଁ ସେ ସବୁକିଛି ଭୁଲିଯାଇଥାନ୍ତି । ସେଥିପାଇଁ ତ ଆଜି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଯାଇଛନ୍ତି ଏସ୍ ଚନ୍ଦ୍ରଶେଖର । ବ୍ରହ୍ମପୁର ସହର କାମପାଲି ଛକ ଟ୍ରାଫିକ ପୋଷ୍ଟରେ ନିଯୁକ୍ତ ଖାକି ପିନ୍ଧା ଟ୍ରାଫିକ ହୋମଗାର୍ଡ । ନିଜ ଡ୍ୟୁଟିରେ ସେ ଦେଖାଇଛନ୍ତି ନିଷ୍ଠା ଓ ଏକାଗ୍ରତା । ଲଗାଣ ବର୍ଷା ସତ୍ତ୍ୱେ ନିଜ ଡ୍ୟୁଟିରେ ହେଳା ନକରି ଟ୍ରାଫିକ ପୋଷ୍ଟରେ ରହି ଟ୍ରାଫିକ ରେଗୁଲେଟ କରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସେ ପାଲଟି ଯାଇଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ । ବ୍ରହ୍ମପୁର ଏସ୍ପି ଏସ୍ ଚନ୍ଦ୍ରଶେଖର ରାଓଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୀଷଣ ବର୍ଷାରେ ଭିଜି ଡ୍ୟୁଟି କରିଥିିବା ଏହି ଟ୍ରାଫିକ ହୋମଗାର୍ଡଙ୍କୁ ଖୁବ୍ ପ୍ରଂଶସା କରିଛନ୍ତି । ସେ ସାଧୁବାଦ ଜଣାଇବାକୁ ଯାଇ କହିଛନ୍ତି ଲଗାଣ ବର୍ଷା ସତ୍ୱେ ଟ୍ରାଫିକ ପୋଷ୍ଟରେ ରହି ନିଷ୍ଠାର ସହ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ସଂପାଦନ କରୁଥିବା ହୋମଗାର୍ଡ ଏସ୍. ଚନ୍ଦ୍ରଶେଖରଙ୍କୁ ମୋର ସାଧୁବାଦ । ନିଜ କାର୍ଯ୍ୟପ୍ରତି ତାଙ୍କର ଏହି ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ଉଦାହରଣ ।