ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ରୋକଠୋକ ମନା କରିଦେଲେ ସାତଟି ରାଜ୍ୟର ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନୀତି ଆୟୋଗ ବୈଠକକୁ ବର୍ଜନ କରିଛନ୍ତି ବୋଲି ଖୋଲାଖୋଲି ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ଦେଇଛନ୍ତି । ଦିଲ୍ଲୀ ବ୍ୟୁରୋକ୍ରାଟଙ୍କ ନିଯୁକ୍ତି ଓ ବଦଳି କ୍ଷମତାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ବଦଳରେ ଅର୍ଡିନାନ୍ସ ଜାରି କରିବା ନେଇ କ୍ଷୁବ୍ଧ ଅଛନ୍ତି କେଜ୍ରିଓ୍ୱାଲ । ସଂଘୀୟ ବ୍ୟବସ୍ଥାରେ ମୋଦି ସରକାର ବିଜେପି ଶାସିତ ରାଜ୍ୟ ପାଇଁ ଗୋଟିଏ ନୀତି ଅନୁସରଣ କରୁଥିବା ବେଳେ ଅଣ ବିଜେପି ଶାସିତ ରାଜ୍ୟ ପାଇଁ ଆଉ ଗୋଟିଏ ନୀତି ଅନୁସରଣ କରିବା କି ପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥା ବୋଲି ସେ ପ୍ରଶ୍ନ କରିଛନ୍ତି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି । ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ କେନ୍ଦ୍ର ସରକାର ପଞ୍ଜାବର ସ୍ବାର୍ଥ ପାଇଁ କାର୍ଯ୍ୟ କରୁନାହାଁନ୍ତି ବୋଲି କହିଛନ୍ତି । ପୂର୍ବ ନୀତି ଆୟୋଗ ବୈଠକରେ ସେ ଦେଇଥିବା ପ୍ରସ୍ତାବ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବାରୁ ବୈଠକରେ ଯୋଗଦେବା ଅର୍ଥହୀନ ବୋଲି କହିଛନ୍ତି ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବୈଠକରେ ଯୋଗ ଦେଇନାହାଁନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କୌଣସି କାରଣ ଦର୍ଶାଇ ନ ଥିଲେ ବି ବୈଠକରେ ଯୋଗ ଦେଇ ନ ଥିବା ଜଣାପଡିଛି ।
ଆଜି ଅନୁଷ୍ଠିତ ନୀତି ଆୟୋଗ ବୈଠକର ପ୍ରସଙ୍ଗ ରହିଛି 2047ର ବିକଶିତ ଭାରତ ଏବଂ ଟିମ ଇଣ୍ଡିଆର ଭୂମିକା । ଶହେରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଥିଲେ ହେଁ ଅଣବିଜେପି ଶାସିତ ସାତଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେଇନାହାଁନ୍ତି ।

LEAVE A REPLY

Please enter your comment!
Please enter your name here