ଆଜି ହେଉଛି ପବିତ୍ର ଓ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ. ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଈଙ୍କ ନିକଟରେ ଲାଗି ହୋଇଛି ନବାନ୍ନ. ପରମ୍ପରା ପ୍ରଥା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଛି ନୂଆ ଚାଉଳ. ସେହିପରି ପଶ୍ଚିମ ଓଡିଶାର ଅନ୍ୟ ପ୍ରମୁଖ ଦେବିପୀଠ ପାଟଣେଶ୍ୱରୀ, ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ଆଜି ନବାନ୍ନ ଲାଗି ହୋଇଛି. ଇଷ୍ଟଦେବୀଙ୍କ ନିକଟରେ ନବାହ୍ନ ଲାଗି ପରେ ନୂଆ ଚାଉଳ ଏକାଠି ସେବନ କରିବେ ପଶ୍ଚିମ ଓଡିଶାବାସୀ. ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ଝାରସୁଗୁଡା ସହ ସମସ୍ତ ପଶ୍ଚିମ ଓଡିଶା ଉତ୍ସବମୁଖର ହୋଇ ଉଠିଛି. ରାଜ୍ୟ ବାହାରେ ରହୁଥିବା ଲୋକେ ମଧ୍ୟ ନୂଆଖାଇ ପାଳିବାକୁ ଘରକୁ ଫେରିଛନ୍ତି. ନୂଆଖାଇ ପାଇଁ ପଶ୍ଚିମ ଓଡିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ବଲାଙ୍ଗୀରରେ ମଧ୍ୟ ଇଷ୍ଟଦେବୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ. ପୂର୍ବ ନିଦ୍ଧାରିତ ଲଗ୍ନ ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଛି ନୂଆ ଚାଉଳ. ନୂଆ ଖାଇବା ପାଇଁ ଏକାଠି ହୋଇଛନ୍ତି ସମସ୍ତେ. ଏହି ପର୍ବକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲୀ. ନୂଆଖାଇ ପାଇଁ ଉତ୍ସବମୁଖର ହୋଇଛି ସୁନ୍ଦରଗଡ. ସବୁଠି ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ନୂଆ ଖାଉଥିବାବେଳେ ସୁନ୍ଦରଗଡରେ ଆଦିବାସୀ ପରମ୍ପରା ଅନୁଯାୟୀ ପିତୃପୁରୁଷଙ୍କୁ ନୂଆ ଚାଉଳ ଲାଗି ପରେ ନୂଆ ଖାଇଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକ. ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ପାଳିତ ହୋଇଥାଏ. ପର୍ବ ଦିନ ନୂଆ ଲୁଗା ପିନ୍ଧି କୃଷକ କ୍ଷେତକୁ ଯାଏ ଓ କ୍ଷୀର, ଅରୁଆ ଚାଉଳ, ଧୂପ, ଦୀପ, ନୈବେଦ୍ୟ ଅର୍ପଣ ସହ ଧରଣୀମାତା ଓ ମହାଲକ୍ଷ୍ମୀଙ୍କୁ ରୀତିନିତି ଅନୁସାରେ ପୂଜାର୍ଚ୍ଚନା କରିଥାଏ. ତାପରେ ନୂଆ ଫଳିଥିବା ଧାନକେଣ୍ଡାକୁ ଧରି ଘରକୁ ଫେରେ. କେଣ୍ଡାରୁ ଧାନ ବାଛି ସଫା କରିବା ପରେ ସେଥିରେ ପଞ୍ଚାମୃତ ମିଶାଇ ଭୋଗ ପ୍ରସ୍ତୁତ ହୁଏ. ପ୍ରଥମେ ଦେବାଦେବୀ ଓ ପିତୃପୁରୁଷଙ୍କୁ ଭୋଗ ଅର୍ପଣ କରାଯାଏ. ପରିବାରର ବରିଷ୍ଠ ବ୍ୟକ୍ତି ଭୋଜନ କରିସାରିବା ପରେ ଅନ୍ୟମାନେ ଖାଇଥାନ୍ତି. ଭୋଗ ସାଙ୍ଗକୁ ପିଠା, ମିଠା, ଅନ୍ନବ୍ୟଞ୍ଜନ ଆଦି ଖାଇଥାନ୍ତି. ସାନମାନେ ବଡମାନଙ୍କୁ ପ୍ରଣାମ କରି ଆର୍ଶୀବାଦ ଲାଭ କରିଥାନ୍ତି . ନୂଆଁଖାଇ ପାରସ୍ପରିକ ଭାବର ଆଦାନପ୍ରଦାନ, ଭାବ ବିନିମୟ ଓ ମିଳନର ପର୍ବ. ତେବେ ନିଜ ଗାଁମାଟି ଛାଡି ଅନ୍ୟତ୍ର ରହୁଥିବା ଲୋକଙ୍କ ପାଇଁ ନୂଆଖାଇରେ ପରିବାରସହ ଏକାଠି ହେବାର ସୁଯୋଗ ମିଳେ.