ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ମେକ ଇନ ଓଡିଶା କନକ୍ଲେଭ ପାଇଁ ନିବେଶକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୨ୟ ରୋଡ ଶୋ’ରେ ଯୋଗ ଦେଇ ସେ କହିଛନ୍ତି ଯେ, ଓଡିଶାରେ ଶିଳ୍ପ ବିକାଶ ପାଇଁ ଉତ୍ତମ ବାତାବରଣ ରହିଛି ଓ ରାଜ୍ୟକୁ ଆସୁଥିବା ନିବେଶକମାନଙ୍କୁ ସରକାର ସବୁ ପ୍ରକାରର ସହାୟତା ଯୋଗାଇଦେବେ । ସେ କହିଛନ୍ତି ଯେ, ଓଡିଶା ଖଣି ଓ ଖଣିଜ ଶିଳ୍ପର ଏକ କେନ୍ଦ୍ରସ୍ଥଳୀ ପାଲଟିଛି । ଆମ ଦେଶରେ ମୋଟ ଆଲୁମିନିୟମ ଉତ୍ପାଦନର ୫୪ ପ୍ରତିଶତ ଓଡିଶାରୁ ଆସୁଛି । ରାଜ୍ୟ ସରକାର ଖଣିଜ ଶିଳ୍ପ ଓ ଆନୁଷଙ୍ଗିକ ଶିଳ୍ପର ବିକାଶ ପାଇଁ ଏକ ‘ଭିଜନ ୨୦୩୦’ ପ୍ରସ୍ତୁତ କରିଛନ୍ତି ଓ ସେ ଅନୁଯାୟୀ କାର୍ଯ୍ୟ କରୁଛନ୍ତି ।

କେବଳ ଏତିକି ନୁହେଁ ଶିଳ୍ପ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ କରାଯାଉଛି । ମାନବ ସମ୍ବଳର ବିକାଶ ପାଇଁ ସ୍କିଲଡ ଇନ୍ ଓଡିଶା ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ନିବେଶକମାନଙ୍କ ସୁବିଧା ପାଇଁ ସରକାର ‘ଇନଭେଷ୍ଟ ଓଡିଶା’ ନାମକ ପୋର୍ଟାଲ ଆରମ୍ଭ କରିଛନ୍ତି । ଏହି ଅବସରରେ ଦେଶର ପ୍ରମୁଖ ଶିଳ୍ପଦ୍ୟୋଗୀ ତଥା ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଥିଲେ ଯେ ତାଙ୍କ କମ୍ପାନୀ ଓଡିଶାରେ ୬ ନିୟୁତ ଟନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିଛି ଓ ଆଗକୁ ଏକ ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଯାଉଛି । ଯାହାଦ୍ୱାରା ଅନ୍ୟ ଛୋଟବଡ କମ୍ପାନୀମାନେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ । ଏହି ରୋଡ ଶୋରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଓୟୋ ରୁମ୍ସ ମୁଖ୍ୟ ରିତେଶ ଅଗ୍ରୱାଲ, ରାଜ୍ୟ ଶିଳ୍ପ ସଚିବ ସଂଜୀବ ଚୋପ୍ରା ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here