ସମଗ୍ର ଦେଶ କୋଭିଡ ସଂକ୍ରମଣକୁ ନେଇ ଚିନ୍ତାରେ ଥିବା ବେଳେ ଏବେ ଆଉ ଏକ ନୂଆ ରୋଗ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ କିଛି ସପ୍ତାହ ଧରି କୋଭିଡ୍ ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀ ଏମିତି ନୂଆ ରୋଗରେ ସଂକ୍ରମିତ ହେଉଥିବା ଚିହ୍ନଟ କରାଯାଇଛି । ଏହି ନୂଆ ରୋଗକୁ ଚିକିତ୍ସା ବିଜ୍ଞାନରେ ବ୍ଲାକ୍ ଫଙ୍ଗସ୍ ବା ମୁକୋରମାଇକୋସିସ୍ ବୋଲି କୁହାଯାଉଛି । ବିଶେଷ କରି କୋଭିଡରୁ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ପାଖରେ ଏହି ନୂଆ ରୋଗ ଦେଖାଯାଉଛି ଏବଂ ଅନେକ ସମୟରେ ଏହା ଘାତକ ସାଜୁଛି । କୋଭିଡ ସଂକ୍ରମଣରେ ଶରୀର ଦୁର୍ବଳ ଏବଂ ରୋଗ ପ୍ରତିରୋଧକ ଶକ୍ତି କମିଯାଉଥିବାରୁ ଶ୍ବାସନଳୀ ଦ୍ବାରା ଏହି ଫଙ୍ଗାଲ ବିଜାଣୁ ଶରୀର ମଧ୍ୟକୁ ପ୍ରବେଶ କରୁଛି । ଏହା ଶ୍ବାସନଳୀ ଓ ଫୁସଫୁସ୍ କୁ ସଂକ୍ରମିତ କରୁଛି । ଡାଇବେଟିସ୍ ରୋଗ ଥିବା ବ୍ୟକ୍ତି ଏହାଦ୍ବାରା ଅଧିକ ବିପଦରେ ପଡୁଛନ୍ତି ।
ଏହି ରୋଗରେ ଆକ୍ରାନ୍ତ ହେଲେ ଶରୀରରେ ଯନ୍ତ୍ରଣା, ଆଖି ଓ ନାକ ଚାରିପାଖ ଲାଲ୍ ପଡିଯିବା, ଜ୍ବର ହେବା, ମୁଣ୍ଡ ବିନ୍ଧିବା, କଫ ରହିବା, ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ଏବଂ ବାନ୍ତି ହେବା ଭଳି ଲକ୍ଷଣ ଦେଖାଯାଇଥାଏ । ମୁହଁର ଗୋଟିଏ ପାର୍ଶ୍ବରେ କଷ୍ଟ ହେବା, ଗାଲ ହାଡରେ ଯନ୍ତ୍ରଣା ହେବା, ନାକ ଚାରିପାଖ କଳା ପଡିବା ଭଳି ଲକ୍ଷଣ ମଧ୍ୟ ଦେଖାଯାଇଥାଏ । ତେବେ ଆଇସିଏମଏସ ପକ୍ଷରୁ ଏ ପ୍ରସଙ୍ଗରେ କୁହାଯାଇଛି, ଏଭଳି ଲକ୍ଷଣ ଦେଖାଦେଲେ ଅଥବା ବ୍ଲାକ ଫଙ୍ଗସ ରୋଗରେ ସଂକ୍ରମିତ ବ୍ୟକ୍ତି ତୁରନ୍ତ ଚିକିତ୍ସା କରିବା ଦରକାର । ଚିକିତ୍ସାରେ ହେଳା କଲେ ଏହା ଘାତକ ସାଜିପାରେ । ତେବେ ଏହା ଏକ ବିରଳ ରୋଗ ଏବଂ ଏହି ରୋଗରୁ ବଞ୍ଚିବାକୁ ହେଲେ ଫଙ୍ଗାଲ ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ । ଭାରତରେ ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜୁରାଟରେ ଏହି ରୋଗ ସଂକ୍ରମିତ ହେଉଥିବା ଦେଖାଯାଇଛି ।