ନେତାଙ୍କୁ ଘାରିଛି କ୍ଷମତା ନିଶା । ବର୍ଷ ବର୍ଷ ଧରି ଯେଉଁ ଦଳକୁ ନୀତି, ଆଦର୍ଶ ବୋଲି ମାନି ନେଇଥିଲେ, କ୍ଷମତା ନିଶାରେ ଏବେ ତାର ମୂଲ୍ୟ କିଛି ନାହିଁ । କ୍ଷମତା ହାସଲ ପାଇଁ ନିର୍ବାଚନ ପୂର୍ବରୁ ଚାଲିଥିବା ଦଳ ଡିଆଁ ପର୍ବରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । କେନ୍ଦ୍ରାପଡା ରାଜନୀତିରେ ଏକଦା ଦବଦବା ରଖିଥିବା ଗଣେଶ୍ବର କଂଗ୍ରେସ ଦଳରୁ ବିଧାୟକ ଭାବେ ଜିତିବା ସହ କଂଗ୍ରେସ ସରକାରରେ ମନ୍ତ୍ରୀ ହୋଇଥିଲେ । କିନ୍ତୁ ନବୀନ ଆସିବା ଦିନ ଠାରୁ ଆଉ ବିଧାନସଭାକୁ ଯିବା ସମ୍ଭବ ହେଲାନି । ତଥାପି କଂଗ୍ରେସ ଦଳରେ ରହି ଗତ ଚବିଶ ବର୍ଷ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରି ଆସୁଥିବା ଗଣେଶ୍ବର ବେହେରା ଆଜି ଶଙ୍ଖ ଦଳରେ ସାମିଲ ହୋଇଯାଇଛନ୍ତି । ଗଣେଶ୍ବରଙ୍କ ପରି ବିଜେପିର ଆଗଧାଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବି ପଦ୍ମ ଛାଡି ଆଜି ଶଙ୍ଖ ଧରିଛନ୍ତି । ଦଳ ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିଲେ ବି ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ ଦଳ ଛାଡିଥିବା କହିଛନ୍ତି । କେବଳ ଗଣେଶ୍ବର କି ଲେଖାଶ୍ରୀ ନୁହଁନ୍ତି, ଆହୁରି ଅନେକ ନେତା ଯିଏ ଯେଉଁ ଦଳରୁ ଟିକଟ ପାଇବାରେ ବିଫଳ ହେଲା, ସେ ଦଳ ଛାଡି ବିରୋଧୀ ଶିବିରରେ ସାମିଲ ହେବାରେ ଲାଗିଛନ୍ତି । ଏଥରକର ଦଳ ଛଡା ପର୍ବ ବିଗତ ଦିନର ସବୁ ପ୍ରାକ ନିର୍ବାଚନ ଦଳ ବଦଳଠୁ ବଳି ଯାଇଛି । ତେବେ ଦଳ ବଦଳାଉଥିବା ନେତାଙ୍କୁ ସୁପ୍ରିମୋମାନେ ଗ୍ରହଣ କରି ନେଉଥିଲେ ବି କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

LEAVE A REPLY

Please enter your comment!
Please enter your name here