ସୋସିଆଲ ମିଡିଆ ବ୍ୟାନ୍କୁ ନେଇ ଆରମ୍ଭ ହୋଇଥିବା ପ୍ରତିବାଦ ନେପାଳରେ ଏବେ ତୀବ୍ର ରୂପ ଧାରଣ କରିଛି। ହିଂସା, ପୋଡାଜଳା ଓ ଆକ୍ରମଣରେ ଦେଶ ଅଣାୟତ୍ତ ପରିସ୍ଥିତିରେ ପହଞ୍ଚିଛି। ଚାପରେ ପଡି ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ପଦତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି। ସଂସଦ ଭବନକୁ ପ୍ରଦର୍ଶନକାରୀମାନେ ନିଆଁ ଲଗାଇ ଥିବା ବେଳେ, କାଠମାଣ୍ଡୁ ସହର ସମ୍ପୂର୍ଣ୍ଣଭାବେ ବିକ୍ଷୋଭକାରୀଙ୍କ କବଜାରେ ଅଛି।
ନେପାଳରେ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । Gen Zଙ୍କ ଆଗରେ ମୁଣ୍ଡ ନୁଆଇଁଛନ୍ତି ଦେଶର ପ୍ରଧାନମନ୍ତ୍ରୀ । ଓଲିଙ୍କ ଇସ୍ତଫା ପରେ ସେନା ଦେଶର ଶାସନ ଭାର ନିଜ ହାତକୁ ନେଇପାରେ । ହେଲେ ଏହାରି ମଧ୍ୟରେ ସାମ୍ନା କୁ ଆସୁଛି ଭୟଙ୍କର ଦୃଶ୍ୟ । ନେପାଳର ଅର୍ଥମନ୍ତ୍ରୀଙ୍କୁ Gen Z ରାଜ ରାସ୍ତାରେ ଗୋଡାଇ ଗୋଡାଇ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥିତି ପୁରା ଅଣାୟତ୍ତ । ନିଜ ଜୀବନ ବଞ୍ଚାଇବାକୁ ଦୌଡୁଛନ୍ତି ଅର୍ଥମନ୍ତ୍ରୀ । ହେଲେ ବି ତାଙ୍କୁ ଛାଡୁ ନାହାନ୍ତି । କିଏ ଠିଆ ଗୋଇଠା ମାରୁଛି ତ କିଏ ଗୋଡେଇ ଗୋଡେଇ ପିଟୁଛି । କାଠମାଣ୍ଡୁର ରାସ୍ତାରେ ଅର୍ଥମନ୍ତ୍ରୀ ବିଷ୍ଣୁପ୍ରସାଦ ପୌଡେଲ ଦୌଡୁଥିବାର ଦୃଶ୍ୟ ସାମନାକୁ ଆସିଛି ।














