ନେପାଳରେ ହୋଇଥିବା ହିଂସା ଓ ଅସ୍ଥିରତାର ସୁଯୋଗ ନେଇ କଏଦୀମାନେ ଜେଲରୁ ଫେରାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କୁ ଭାରତ-ନେପାଳ ସୀମାରେ ଏସଏସବି ଧରିବାରେ ସଫଳ ହୋଇଛି । ୨୨ କଏଦୀ ଉତ୍ତର ପ୍ରଦେଶରେ, ୧୦ ବିହାରରେ ଏବଂ ୩ ପଶ୍ଚିମବଙ୍ଗରେ ଅଟକ ହୋଇଛନ୍ତି ।
ଭାରତ-ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏସଏସବି ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ୨୨ ଜଣ ଫେରାର କଏଦୀଙ୍କୁ ଧରିଛନ୍ତି । ସେମାନଙ୍କ ମଧ୍ୟରୁ ୫ କଏଦୀଙ୍କୁ ସେପ୍ଟେମ୍ବର ୧୦ରେ ଅଟକ କରାଯାଇଥିଲା । ସମସ୍ତେ ବେଆଇନ ଭାବେ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତଦନ୍ତରୁ ଜଣା ପଡ଼ିଛି ସେମାନେ ନେପାଳର କାଠମାଣ୍ଡୁ ଡିଲ୍ଲିବଜାର ଜେଲରୁ ଫେରାର ହୋଇଥିଲେ ।
ଭାରତ ଓ ନେପାଳ ମଧ୍ୟରେ ୧୭୫୧ କିଲୋମିଟର ଲମ୍ବା ଖୋଲା ସୀମା ରହିଛି । ଏହି ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଶକ୍ତ କରିଛି ସଶସ୍ତ୍ର ସୀମା ବଳ (ଏସଏସବି) । ସମସ୍ତ ୨୬ଟି ପାରସ୍ପରିକ ମାର୍ଗ, ୧୫ଟି ଯାତାୟତ ମାର୍ଗ, ୬ଟି ଚେକ ପୋଷ୍ଟ ଓ ୧୧ଟି ସୀମା ଚେକପୋଷ୍ଟରେ ହାଇ ଆଲର୍ଟ ଘୋଷଣା କରାଯାଇଛି । ସେହିପରି, ଏସଏସବିର ଗୁଇନ୍ଦା ୟୁନିଟ ସୀମାବର୍ତ୍ତୀ ଗାଁମାନଙ୍କୁ କଡା ନଜରରେ ରଖିଛି ,ଯାହାଦ୍ବାରା ଅନୁପ୍ରବେଶକୁ ରୋକାଯାଇପାରିବ ।














