ପବ୍ଲିକ ମୋବାଇଲ ଫୋନ ଚାର୍ଜିଂ ପଏଣ୍ଟରେ ଗୁପ୍ତ ତଥ୍ୟ ଚୋରୀ ଭୟ । ଫୋନ ଚାର୍ଜ କରିବା ପରେ ସେଥିରୁ ଅନେକ ଗୁପ୍ତ ତଥ୍ୟ ଚୋରୀ ହେଉଥିବା ଅଭିଯୋଗ ହୋଇଛି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଦିଲ୍ଲୀରେ ଜଣେ ଯୁବକ ମୋବାଇଲ ଫୋନ ଚାର୍ଜ କରିବା ପରେ ତାଙ୍କ ବ୍ୟାଙ୍କ ଖାତାରୁ ୫୦ ହଜାର ଟଙ୍କା ଉଠାଯାଇଥିଲା । ସେହିପରି ଅନ୍ୟଜଣେ ଯୁବତୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଆପତ୍ତିଜନକ ପୋଷ୍ଟ କରାଯାଇଛି । ଏହାକୁ ନେଇ ଉଭୟ ଦିଲ୍ଲୀ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଏଭଳି ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ପବ୍ଲିକ ଚାର୍ଜିଂ ପଏଣ୍ଟରେ ମୋବାଇଲ ଫୋନ ଚାର୍ଜ କରିବା ପରେ ଏହାକୁ ହ୍ୟାକ କରି ସମସ୍ତ ଗୁପ୍ତ ତଥ୍ୟ ଚୋରି ହେଉଥିବା ସନ୍ଦେହ କରିଛି ପୋଲିସ । ମୁଖ୍ୟତଃ ଏୟାରପୋର୍ଟ, ରେଲୱେ ଷ୍ଟେସନ ଏବଂ ଜନଗହଳିପୂର୍ଣ୍ଣ ବଜାର ଗୁଡିକରେ ଏହି ଚାର୍ଜିଂ ପଏଣ୍ଟ ଗୁଡିକ ରହିଛି । ପବ୍ଲିକ ଚାର୍ଜିଂ ପଏଣ୍ଟକୁ ନେଇ ଉଠିଛି ସନ୍ଦେହ । ଏହାଉପରେ କାହାର ନଜର ରହୁନଥିବାରୁ ଏଥିରେ ଇଲେକ୍ଟ୍ରୋନିକ ଚିପ୍ ଲଗାଇ ଫୋନକୁ ହ୍ୟାକ କରାଯାଉଥିବା ସନ୍ଦେହ କରାଯାଉଛି । ହ୍ୟାକର୍ସମାନେ ଫୋନରୁ ଟେଷ୍ଟ ମେସେଜ, ଫଟୋ, ଭିଡିଓ, ଇମେଲ, ଲୋକେସନ, କଣ୍ଟାକ୍ଟ ଏବଂ ଅନ୍ୟ ସବୁ ତଥ୍ୟ ହାସଲ କରିପାରୁଛନ୍ତି । ଏହାସହ ଫୋନର ପ୍ରତି ୫ ସେକେଣ୍ଡରେ ଗୋଟିଏ ସ୍କ୍ରିନସଟ୍ ନେଇ ମଧ୍ୟ ପାରୁଛନ୍ତି । ଏହିସବୁ ପବ୍ଲିକ ଚାର୍ଜିଂ ପଏଣ୍ଟରେ ଚାର୍ଜ କରିବା ବଦଳରେ ନିଜେ ଚାର୍ଜର ଆଣି ଚାର୍ଜ କରିବାକୁ ପରାମର୍ଶ ଦେଇଛି ଦିଲ୍ଲୀ ପୋଲିସ । ଫୋନ ହ୍ୟାକ୍ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏସବିଆଇ ପକ୍ଷରୁ ମଧ୍ୟ ଏକ ଭିଡିଓ ଜାରି କରାଯାଇ ଗ୍ରାହକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here