ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହରିହର କରଣଙ୍କ ଦେହାନ୍ତ ହୋଇଛି. ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ମୃତ୍ୟୁବେଳକୁ ହରିହରଙ୍କୁ 72 ବର୍ଷ ହୋଇଥିଲା. ତେବେ ସେପ୍ଟେସେମିଆ ରୋଗରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ. ଚିକିତ୍ସାଧୀନ ସମୟରେ ତାଙ୍କର ପରଲୋକ ହୋଇଛି. ଏହି ଖବର ପାଇବା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି. 1947 ମସିହାରେ ଜନ୍ମଗ୍ରହଣ କରିଥିବା ହରିହରଙ୍କୁ ରାଜନୀତିରେ ନିଜ କ୍ୟାରିୟର ଗଢିବା ପାଇଁ ଇଚ୍ଛା ଥିଲା. ଯେଉଁଥିପାଇଁ ସେ ଛାତ୍ର ଜୀବନରୁ ହିଁ ରାଜନୀତିରେ ପାଦ ଥାପିଥିଲେ. 1974 ମସିହାରେ ସେ ଷଷ୍ଠ ବିଧାନସଭାକୁ ନିର୍ବାଚିତ ହୋଇଥିଲେ. ଏହାପରେ ଦ୍ୱିତୀୟ ଥର ପାଇଁ 1977 ମସିହାରେ ସପ୍ତମ ବିଧାନସଭାକୁ ନିର୍ବାଚିତ ହେବା ସହ 1980ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଥିଲେ.