ଆଗକୁ ଅଛି ନିର୍ବାଚନ. ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ପ୍ରସ୍ତୁତ ସବୁ ଦଳ. ବିରୋଧି ଦଳ ବି ରଣକୌଶଳ ପ୍ରସ୍ତୁତିରେ ବ୍ୟସ୍ତ. ଏଭଳି ସ୍ଥିତିରେ ଶାସକ ଦଳ ନିଜକୁ ଆହୁରି ମଜବୁତ୍ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ. ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥର ପ୍ରଶାସନିକ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର.

ଏଥର ଆଠ ଜଣ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି. ଗଞ୍ଜାମ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ କୁଳଙ୍ଗ ବିଜୟ ଅମୃତାଙ୍କୁ ଦାୟିତ୍ୱ ଦିଆଯାଇଛି. ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ. ଏପଟେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ ବଦଳି କରାଯାଇ କଟକର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି. ଏ ବର୍ଷ ରଥଯାତ୍ରାକୁ ସଫଳତାର ସହ ସମାପନ କରିଥିଲେ ମଧ୍ୟ ବିଗତ କିଛି ଦିନ ହେବ ବିଭିନ୍ନ ବାଦ ବିବାଦରେ ଫସି ରହିଛନ୍ତି ଅରବିନ୍ଦ ଅଗ୍ରଓ୍ୱାଲ. ତେଣୁ ଏଥର କୌଣସି ପ୍ରକାର ରିସ୍କ ନେବାକୁ ଚାହିଁଲେନି ସରକାର. ପୁରୀରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ ଜ୍ୟୋତି ପ୍ରକାଶ ଦାଶ. ଏହାବ୍ୟତୀତ ସୋନପୁର ଜିଲ୍ଲାପାଳ ଦାଶରଥି ଶତପଥିଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ଦିଆଯାଇ ବୌଦ୍ଧ ଜିଲ୍ଲାପାଳ ମଧୂସୁଦନ ମିଶ୍ରଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି. ବିଡିଏ ସଚିବ ସୀତାଶୁଂ କୁମାର ରାଉତଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି. ଏପଟେ କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କୁ ଶ୍ରମ କମିଶନର ଭାବେ ଦାୟିତ୍ୱ ମିଳିଥିବା ବେଳେ ତାଙ୍କ ସ୍ଥାନରେ ଗାଭଲି ପରାଗ ହର୍ଷଦ କଳାହାଣ୍ଡିର ଦାୟିତ୍ୱ ନେଇଛନ୍ତି.

LEAVE A REPLY

Please enter your comment!
Please enter your name here