ନୂଆ ମୋଡ ନେଉଛି ପରୀ ହତ୍ୟା ମାମଲା I ସରକାର ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦେଇଥିଲେ ମଧ୍ୟ ନିଆଁ ଲିଭିବା ବଦଳରେ ହୁତୁହୁତୁ ହୋଇ ଜଳୁଛି I ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ ପରେ ଜିଲ୍ଲା ବିଜେପି ପକ୍ଷରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି I ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିରୋଧୀ ବିଜେପି ଅଟଳ ରହିଥିବା ବେଳେ କୌଣସି ପ୍ରକାରେ ବିରୋଧୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ଚାହୁଁନାହାନ୍ତି ସରକାର I ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଦରକାର ହେଲେ ମାମଲାର ଏସଆଇଟି ତଦନ୍ତ କରାଯିବ ବୋଲି କହି ପରିସ୍ଥିତିକୁ ହାଲକା କରିବାକୁ ଚେଷ୍ଟା କରିଛନ୍ତି I ମାତ୍ର ପରୀର ଗାଁ ଲକ୍ଷୀପ୍ରସାଦ ସରପଞ୍ଚ ସୌମ୍ୟଙ୍କ ବୟାନ ସରକାରଙ୍କ ପରୀ ମ୍ୟାନେଜମେଣ୍ଟ ଉପରେ ପାଣି ପକାଇ ଦେଇଛି I ପାଂଚବର୍ଷର ଝିଅ ପରୀକୁ ହତ୍ୟା ଘଟଣା ପଛରେ ବାବୁଲି ନାୟକର ସଂପୃକ୍ତି ଏବଂ ବାବୁଲିକୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡାଉଥିବା ସଂପର୍କରେ ସୌମ୍ୟଙ୍କ ବୟାନ ପୁରା ଘଟଣାକୁ ନୂଆ ମୋଡ ଦେଇଛି I ପରୀକୁ ନ୍ୟାୟ ଦେବା ପାଇଁ ରାସ୍ତା ଅବରୋଧ କରାଯାଇଥିବା ବେଳେ ଏଥିରୁ ଓହରିଯିବାକୁ ନୟାଗଡ ଏସପି ତାଙ୍କୁ କହିଥିଲେ I ସେହିପରି ବାବୁଲି ନାୟକ ଉପସ୍ଥିତିରେ ପରୀର ବାପାଙ୍କୁ ମାଡ ମରାଯାଇଥିଲା ଏବଂ ଏ ସଂପର୍କରେ ସେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଜଣାଇଥିଲେ ମଧ୍ୟ ବାବୁଲି ତାଙ୍କ ପାଖରେ ଅଛି ବୋଲି ମନ୍ତ୍ରୀ କହିଥିଲେ I ଏବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ତାଙ୍କ ପରିବାରର କିଛି ହେଲେ ମନ୍ତ୍ରୀ ଅରୁଣ ସାହୁ ଦାୟୀ ରହିବେ ବୋଲି ସୌମ୍ୟ କହିଛନ୍ତି I

LEAVE A REPLY

Please enter your comment!
Please enter your name here