ପାକିସ୍ତାନକୁ ମିଳିଥିବା ମୋଷ୍ଟ ଫେବୋର୍ଡ ନେସନ୍‌ ମାନ୍ୟତାକୁ ଭାରତ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ଆଜି ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗତକାଲି ପୁଲୱାମାରେ ହୃଦୟ ଥରା ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏହି ବୈଠକ ବସିଥିଲା । ନିଷ୍ପତ୍ତି ସମ୍ପର୍କରେ ସୁଚନା ଦେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି , ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନକୁ ପ୍ରୋତ୍ସାହନ ଦେଇଆସୁଛି ।
ବୈଠକରେ ଗୃହ ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଓ ରେଳ ମନ୍ତ୍ରୀ ପୀୟୁଷ ଏବଂ ଗୁଇନ୍ଦା ବିଭାଗ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଛି । ପାକିସ୍ତାନକୁ କୂଟନୈତିକ ସ୍ତରରେ ମୁହଁତୋଡ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ହେଉଛି । ପ୍ରଥମ ପଦକ୍ଷେପ ଭାବେ ପାକିସ୍ତାନକୁ ମିଳିଥିବା ଏମ୍‌ଏଫ୍‌ଏନ୍‌ ମାନ୍ୟତାକୁ ତାଲିକାରୁ ହଟାଇ ଦେଇଛି ଭାରତ । ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ସଂପୂର୍ଣ୍ଣଭାବେ ଅଲଗା କରିବାକୁ ଯୋଜନା କରାଯାଉଛି । ଏହାର ପରବର୍ତ୍ତୀ ପଦକ୍ଷେପ ବୈଦେଶିକ ମନ୍ତ୍ରଣାଳୟ ନେବ । ଏହା ସହିତ ଜାତିସଂଘରେ ଏ ପ୍ରସଙ୍ଗ ଉଠାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here