ଭୁବନେଶ୍ୱର ପାତ୍ରପଡ଼ାରେ ହୋଇଥିବା ଦୁର୍ଘଟଣାରେ ଧରାପଡ଼ିଲା ଥାର୍ ମାଲିକ। ପୁରୀରୁ ଥାର୍ ମାଲିକ ସୋମନାଥ ବେହେରାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ। ଏ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ା ଠାରେ ଜଣେ ମହିଳା ତାଙ୍କ ଝିଅକୁ ଧରି ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେଇଥିଲା। ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାର ପରଦିନ ଅଗଷ୍ଟ ୧୦ ତାରିଖରେ ମା’ ଆଖି ବୁଜିଥିଲେ। ଦୁର୍ଘଟଣା ପରେ ଫେରାର ହୋଇଯାଇଥିଲେ ଡ୍ରାଇଭର। କୁହାଯାଉଛି, ୨୨ ବର୍ଷୀୟ ଅଙ୍କିତ ରାକ୍ଷୀ ପୂର୍ଣ୍ଣିମା ରାତିରେ ସ୍କର୍ପିଓ ଚଳାଉଥିଲେ ଏବଂ ଥାର୍ ଗାଡ଼ି ସହ ରେସିଂ କରୁଥିଲେ। ଆଉ ସେହି ରେସିଂ ବେଳେ ପାତ୍ରପଡ଼ା ଠାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଘଟଣା ପରେ ଅଭିଯୁକ୍ତମାନେ ଓଡ଼ିଶା ଛାଡି ହିମାଚଳପ୍ରଦେଶର ମନାଲିକୁ ଚାଲିଯାଇଥିଲେ। ପରେ ସେମାନଙ୍କୁ ଦିଲ୍ଲୀରୁ ପୋଲିସ ଗିରଫ କଲା। ଏହି ମାମଲାରେ ପୂର୍ବରୁ ୩ ଜଣ ଧରାପଡ଼ିଥିଲେ। ଏବେ ପୁରୀରୁ ଥାର୍ ଗାଡ଼ିର ମାଲିକକୁ ମଧ୍ୟ ଗିରଫ କରାଯାଇଛି। ଗାଡ଼ିଟି ଜଟଣୀ ଅଞ୍ଚଳର ଜାଣିବା ପରେ ପୋଲିସ ମାଲିକଙ୍କୁ ଧରିପାରିଲା।













