ଶ୍ରୀମନ୍ଦିର ପରିକ୍ରମା ନାଁରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସଂପର୍କରେ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ର ପାର୍ଲାମେଣ୍ଟରେ କହିଥିଲେ, କେବଳ ଚାରୋଟି ଟୟେଲେଟ୍ ନିର୍ମାଣ ହେଉଛି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ପୁରୀ ଶ୍ରୀମନ୍ଦିର ନିକଟରେ ହେଉଥିବା ନିର୍ମାଣ କାର୍ଯ୍ୟ ପ୍ରତ୍ନତତ୍ତ୍ବ ବିଭାଗର ବିନା ଅନୁମୋଦନରେ ହେଉଛି ବୋଲି ମନ୍ତବ୍ୟ ଦେବା ପରେ ପିନାକୀ ଏହା ସଂସଦରେ କହିଥିଲେ । ପିନାକୀଙ୍କ ମନ୍ତବ୍ୟକୁ ନେଇ ପୁରୀରେ ତୀବ୍ର ପ୍ରତିବାଦ କରାଯାଇଥିଲା । ଜଗନ୍ନାଥ ସେନା ପକ୍ଷରୁ ପିନାକୀ ସଂସଦରେ ମିଛ କହିଛନ୍ତି ବୋଲି କହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜି ସାଂସଦ ପିନାକୀ ମିଶ୍ର ସଫେଇ ଦେଇ କହିଛନ୍ତି, ସେ କିଛି ମିଛ କହିନାହାଁନ୍ତି । ସମୟ ଅଭାବରୁ ସେ କେବଳ ଚାରୋଟି ଟୟେଲେଟ୍ କଥା କହିଥିଲେ । କ୍ଲକ ରୁମ, ମିନି କ୍ଲକ ରୁମ୍, ପୁରୁଷ, ମହିଳା ଓ ସେବାୟତଙ୍କ ପାଇଁ ଟୟେଲେଟ ନିର୍ମାଣକୁ ଏନଓସି ମିଳିଛି ବୋଲି କହିଛନ୍ତି ପିନାକୀ । ମାତ୍ର ଓଡିଶାରେ କିଛି ଲୋକଙ୍କ ପାଖରେ କଙ୍କଡା ପ୍ରବୃତ୍ତି ଥିବାରୁ ସେମାନେ ଏମିତି ଅପପ୍ରଚାର କରୁଛନ୍ତି ବୋଲି ସେ କହିଛନ୍ତି ।