ନବରଙ୍ଗପୁରରେ ନର୍ସିଂ ଛାତ୍ରୀ ବିଷ ପିଇବା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହାରିଲେ । ଏମ୍ସରେ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ନେଲେ ଛାତ୍ରୀ । ଶାରୀରିକ ଓ ମାନସିକ ନିର୍ଯାତନାରେ ସହି ନପାରି ବିଷ ପାନ କରିଥିବା କୁହାଯାଉଛି ।
ରାଇଘରର ଡୁମୁରିମୁଣ୍ଡା ଗାଁର କଳ୍ପନା ରାୟ, ଜୟପୁରରେ ଏକ କଲେଜରେ ବିଏସସି ନର୍ସିଂ ଦ୍ୱିତୀୟ ବର୍ଷରେ ପଢୁଥିଲେ ଓ ହଷ୍ଟେଲରେ ରହୁଥିଲେ । ପୋଡ଼ଶୀ ଗ୍ରାମର କୃଷି ବିଜ୍ଞାନ ଛାତ୍ର ସତ୍ୟଜିତ ସହ ଏକତରଫା ପ୍ରେମରେ ପଡି, ତାଙ୍କୁ ବାରମ୍ବାର ହଇରାଣ କରୁଥିଲେ ।
୧୩ ଜୁଲାଇରେ, ବଜାରକୁ ସାମଗ୍ରୀ କିଣିବାକୁ ଯାଇଥିବା ବେଳେ, ସତ୍ୟଜିତ ସାର୍ବଜନିକ ସ୍ଥାନରେ ତାଙ୍କୁ ମାଡ଼ ମାରିଥିଲେ, ଯାହା ଫଳରେ ଆଖି ଓ ମୁହଁ ଫୁଲିଯାଇଥିଲା । ବିଷୟଟି ଟାଉନ ଥାନା ପର୍ଯ୍ୟନ୍ତ ପହଞ୍ଚିଲେମଧ୍ୟ, ପୁଲିସ କେବଳ ଉଭୟଙ୍କୁ ବୁଝାଇ ଛାଡିଦେଇଥିଲେ ।
୧୫ ଜୁଲାଇରେ, କଳ୍ପନା ନିଜେ ଏକ ଏଫଆଇଆର ଦାଖଲ କରି ଘରକୁ ଫେରିଥିଲେ, କିନ୍ତୁ ପୁଲିସ ସତ୍ୟଜିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା । ପରେ, ସତ୍ୟଜିତ ତାଙ୍କ ଓ ପୁରୁଷ ବନ୍ଧୁଙ୍କ ଫୋଟୋ-ଭିଡିଓ ସୋସିଆଲ ମିଡିଆରେ ଭାଇରଲ କରିଥିଲେ । ଲୋକଲଜ୍ଜା ସହିପାରିନଥିବା କଳ୍ପନା ୧୭ ଜୁଲାଇରେ ଘାସମରା ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଘାସମରା ବିଷ ପାନ କରିଥିବା କଥା ଜାଣି ପରିବାରଲୋକ ପୀଡିତାଙ୍କୁ ପ୍ରଥମେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ସ୍ଥିତି ଗୁରୁତର ହେବାରୁ କୋଣ୍ଡାଗାଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ରାୟପୁରକୁ ସ୍ଥାନାନ୍ତର କରାଗଲା। ୨୧ ଜୁଲାଇରେ ସ୍ୱାସ୍ଥ୍ୟ ସୁଧାର ନ ହେବାରୁ ଡାକ୍ତରମାନେ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଲେ। ପରିବାରଲୋକ ପୀଡିତାଙ୍କୁ ଉମରକୋଟ ମେଡିକାଲ, ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ ଭୁବନେଶ୍ୱର ଏମ୍ସକୁ ନେଇଥିଲେ। ଆଜି, ଚିକିତ୍ସାଧୀନ ଅବସ୍ଥାରେ, ସେ ପ୍ରାଣ ହାରାଇଛନ୍ତି। ଅଭିଯୋଗ ଆଧାରରେ, ସତ୍ୟଜିତ ସରକାର ଓ ତାଙ୍କ ସାଥୀ, ଯିଏ ଫଟୋଗୁଡିକ ଭାଇରାଲ କରିଥିଲେ, ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି।














