ନିର୍ବାଚନ ଜିତିଲେ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ରୁଦ୍ର ପ୍ରତାପ । ଖାଲି ଜିତିଲେନି, ବାପାଙ୍କଠୁ ବି ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ପ୍ରତିଦ୍ବନ୍ଦୀଙ୍କୁ । ବାପାଙ୍କ ଶ୍ରାଦ୍ଧ ବାର୍ଷ୍କିକୀରେ ବାପାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟ ଲାଭ କରି ବାପାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ।

ରୁଦ୍ର ପ୍ରତାପ 96 ହଜାର 196 ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଆସ୍ରୀତ ପଟ୍ଟନାୟକଙ୍କୁ 75 ହଜାର 589 ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନଙ୍କୁ ମାତ୍ର 4228 ଭୋଟ ମିଳିଛି ।

ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କୁ 20 ହଜାର 607 ଭୋଟରେ ହରାଇ ନିର୍ବାଚନ ଜିତିଛନ୍ତି ରୁଦ୍ର ପ୍ରତାପ । 2019 ବିଧାନସଭା ନିର୍ବାଚନରେ ପ୍ରଦୀପ ମହାରଥୀ ତାଙ୍କ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଆଶ୍ରୀତଙ୍କୁ 10 ହଜାରରୁ ଅଧିକ ଭୋଟରେ ହରାଇଥିଲେ । ଯଦିଓ କମ୍ ବିଜୟ ବ୍ୟବଧାନରେ ଜିତିଥିଲେ ପ୍ରଦୀପ, ଏଥର କିନ୍ତୁ ପୁଅ ରୁଦ୍ର, ବିଜେପି ପ୍ରାର୍ଥୀ ଆଶ୍ରୀତଙ୍କୁ କୋଡିଏ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ।
ଚବିଶ ରାଉଣ୍ଡ ଗଣତି ସୁଦ୍ଧା ରୁଦ୍ର ପ୍ରତାପ 92 ହଜାର 810 ଭୋଟ ପାଇତିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରୀତଙ୍କୁ ମିଳିଥିଲା 72 ହଜାର 321 ଭୋଟ । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନଙ୍କୁ ମାତ୍ର 4 ହଜାର 155 ଭୋଟ ମିଳିଛି ।

ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଲୋକପ୍ରିୟ ନେତା ପ୍ରଦୀପ ମହାରଥୀ ପିପିଲି ଆସନରୁ ସାତଥର ନିର୍ବାଚନ ଜିତିଥିଲେ । 1985ରୁ 2019 ଭିତରେ ମାତ୍ର ଗୋଟିଏ ଥର 1995ରେ ନିର୍ବାଚନ ହାରିଥିଲେ ମହାରଥୀ । ତାଙ୍କ ଅବର୍ତ୍ତମାନରେ ପୁଅ ରୁଦ୍ର ପ୍ରତାପ ରାଜନୀତିରେ ପାଦ ରଖିଛନ୍ତି ।

ପିପିଲି ଉପନିର୍ବାଚନକୁ ନେଇ ମୁଖ୍ୟତଃ ଦୁଇ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର କରିଥିଲେ । ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ଅନ୍ୟାନ୍ୟ ତାରକା ପ୍ରଚାରକଙ୍କ ଜୋରଦାର ପ୍ରଚାର ସତ୍ତ୍ବେ ଆଶ୍ରୀତଙ୍କୁ ରୁଦ୍ର ପ୍ରତାପଙ୍କ ଭଳି ଜଣେ ନବାଗତ ପ୍ରାର୍ଥୀଙ୍କଠୁ ପରାଜୟ ବରଣ କରିବାକୁ ପଡିଛି । ସବୁଠୁ ଗୁରୁତ୍ବପୂର୍ଣ ପ୍ରସଙ୍ଗ ହେଉଛି, କଂଗ୍ରେସ ପ୍ରାର୍ଥୀଙ୍କୁ ଅମାନତ ରକ୍ଷା କରିବା ବି କଷ୍ଟକର ହୋଇପଡିଛି ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଓ ପରେ କରୋନା ପାଇଁ ଦୁଇଥର ଉପନିର୍ବାଚନ ଭୋଟକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ । ତେବେ କରୋନା କଟକଣା ଭିତରେ ଗତ 30 ତାରିଖରେ ପିପିଲିବାସୀ ମତଦାନ ସାବ୍ୟସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here