ମହାନଦୀକୁ ନେଇ ବହୁ ବାଦ ବିବାଦ ଓ ରାଜନୈତିକ ଉଚ୍ଚାଟ ପରେ ଫାଇଲ ଅଟିକିଛି ଟ୍ରିବ୍ୟୁନାଲରେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ମହାନଦୀକୁ ନେଇ ରାଜନୈତିକ ତୁମ୍ବିତୋଫାନ ହେବା ପରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ଟ୍ରିବ୍ୟୁନାଲ ଗଠନର ପାଞ୍ଚବର୍ଷ ପରେ ଟିମ୍ କ୍ଷେତ୍ର ପରିଦର୍ଶନ କରିବାକୁ ଆସୁଛି । ଏହି ସମୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଆଜି ମହାନଦୀକୁ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି, ମହାନଦୀ ଛତିଶଗଡରୁ ବାହାରିଥିଲେ ହେଁ ସବୁ ପାଣି ଓଡିଶାକୁ ଚାଲିଯାଉଛି । ମହାନଦୀରେ ବନ୍ଧ ହେବା ଆବଶ୍ୟକ । ଛତିଶଗଡ ସରକାର କେବଳ ସାତଟି ବ୍ୟାରେଜ ନିର୍ମାଣ କରିଥିବାରୁ ବିବାଦ ଉଠିଛି । ମାମଲା ଟ୍ରିବ୍ୟୁନାଲକୁ ଯାଇଥିବାରୁ ଛତିଶଗଡ ସରକାର କରିଥିବା ବ୍ୟାରେଜ ଅଧାରେ ଅଟକି ରହିଛି ।
ଅପରପକ୍ଷରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ରାଜ୍ୟ ସରକାର ଡ୍ରାମା କରୁଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ଫଣ୍ଡାମେଣ୍ଟାଲ ସ୍ପଷ୍ଟ ନୁହେଁ ବୋଲି ସେ କହିଛନ୍ତି ।
ପ୍ରଶ୍ନ ଉଠୁଛି, ଗୋଟିଏ ନିର୍ବାଚନ ଯାଇ ଆଉ ଗୋଟିଏ ନିର୍ବାଚନ ଆସିବାକୁ ବସିଲାଣି । ମାତ୍ର ମହାନଦୀ ଜଳ ବିବାଦ ଫଇସଲା ହୋଇପାରିଲା ନାହିଁ । ଜଣେ ଅନ୍ୟ ଜଣଙ୍କ ଉପରକୁ କେବଳ କାଦୁଅ ଫୋପାଡିବାରେ ଲାଗିଛନ୍ତି । ରାଜନୈତିକ କାଦୁଅ ଫିଙ୍ଗା ଭିତରେ ମହାନଦୀ ଉପରେ ନିର୍ଭର କରୁଥିବା ଲୋକେ କେବଳ ଭକୁଆ ହୋଇ ଅନେଇଛନ୍ତି ।

LEAVE A REPLY

Please enter your comment!
Please enter your name here