ଏଥରକ ନିର୍ବାଚନ ବିଗତ ଦିନର ସବୁ ନିର୍ବାଚନଠୁ ଅଲଗା । ପୁରା ଯୁଦ୍ଧଂଦେହି ଡାକରା । ରାଜନୈତିକ ଦଳମାନଙ୍କ ଏମିତି ରଣ ଦୁନ୍ଦୁଭି ଆଗରୁ କେବେ ଶୁଣା ଯାଉନଥିଲା । ବିଶେଷ କରି ଓଡିଶା ପରିପ୍ରେକ୍ଷିରେ ନିର୍ବାଚନର ସ୍ବତନ୍ତ୍ରତା ବାରି ହୋଇପଡୁଛି । ନିର୍ବାଚନ ଅବ୍ୟବହିତ ପୂର୍ବରୁ ପ୍ରାୟ ଦୁଇ ସପ୍ତାହ କାଳ ରାଜ୍ୟରେ କ୍ଷମତାସୀନ ଦଳ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ମେଣ୍ଟ ବୁଝାମଣାକୁ ନେଇ ରାଜନୀତି ପୁରାପୁରି ଠପ୍ ହୋଇ ଯାଇଥିଲା । ଦୁଇ ଦଳର ଶୀର୍ଷସ୍ତରରେ ବାରମ୍ବାର ରାଉଣ୍ଡ ଟେବୁଲ୍, ସ୍କୋୟାର ଟେବୁଲ ବୈଠକ ଚାଲିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ ବୁଝାମଣା ହେବାକୁ ଯାଉଛି ବୋଲି ଘୋଷଣା କରିଦେଇଥିଲେ । ସରକାରୀ ଦଳ ଓ ବିରୋଧୀ ଦଳ ଭିତରେ ବୁଝାମଣା ଚର୍ଚ୍ଚାକୁ ନେଇ ଦୁଇଦଳର ଅନେକ ଟିକଟ ଆଶାୟୀ ନେତା ଡିପ୍ରେସନକୁ ଚାଲିଗଲେ । ମାତ୍ର ଆସନ ବୁଝାମଣାକୁ ନେଇ ଦୁଇ ଦଳ ଭିତରେ ବହୁ ତର୍କ ବିତର୍କ, ବାଦ ବିବାଦ ପରେ ଯାହା ନିଷ୍ପତ୍ତି ହେଲା, ଆମେ ସମସ୍ତେ ଜାଣିଛନ୍ତି । ଭୟଙ୍କର ଦଳ ଡିଆଁ ପର୍ବ ଆରମ୍ଭ ହୋଇଗଲା । ଯେଉଁ ଦଳରୁ ଟିକଟ ମିଳିବାର ଗ୍ୟାରେଣ୍ଟି ମିଳିଲା, ନେତାମାନେ ସେଠାକୁ ଚାଲିଲେ । ଆଉ ସବୁଠୁ ବଡ କଥା ହେଲା, ବର୍ଷ ବର୍ଷ ଧରି ନିର୍ବାଚନ ଲଢିବା ପାଇଁ ପାଗ ପ୍ରସ୍ତୁତ କରିଥିବା ନେତାଙ୍କ ବଦଳରେ ଦଳ ଡିଆଁ ନେତାଙ୍କୁ ଉଭୟ ଦଳ ଜୋଇଁପୁଅ ଭଳି ସ୍ବାଗତ କଲେ । ଯେମିତି ବିଜେଡି ଟିକଟରେ ନିର୍ବାଚନ ଲଢି ବାରମ୍ବାର ସାଂସଦ ହୋଇଥିବା କଟକ ନେତା ଭର୍ତ୍ତୃହରି ମହତାବ ବିଜେପିକୁ ଲଂଫ ଦେଲେ । ଆଉ ବିଜେପି ବାଲାଏ କଟକ ଲୋକସଭା ଆସନରେ ସଙ୍ଗଠନ କରୁଥିବା ନେତାଙ୍କୁ ଅଣଦେଖା କରି ବାବୁ ଭର୍ତ୍ତୃହରିଙ୍କୁ ଟିକଟ ଦେଇ ପ୍ରାର୍ଥୀ କଲେ । ସାରାଜୀବନ କଂଗ୍ରେସ ରାଜନୀତିରେ ରହି ବିଧାୟକ ଓ ମନ୍ତ୍ରୀ ହୋଇଥିବା ଗଣେଶ୍ବର ବେହେରା ଗତ ଚବିଶ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସାତ ପୁରୁଷ ଉଧାରୁଥିଲେ, କିନ୍ତୁ କେନ୍ଦ୍ରାପଡାରେ ନେତାଙ୍କ ଅଭାବ ପଡିବା ପରି ବିଜେଡି ଗଣେଶ୍ବରଙ୍କୁ ଟିକଟ ଦେଇ ଜୋଇଁପୁଅ ଚର୍ଚ୍ଚା କଲେ । ଛ ମାସ ଧରି ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ କରିବେ ବୋଲି ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳିରେ ବିଜେଡି ମନ୍ତ୍ରୀ, ବିଧାୟକ, ମେୟର ସାଙ୍ଗରେ ଧରି ପ୍ରଚାର କରୁଥିଲେ । ମାତ୍ର କଂଗ୍ରେସ ନେତା ସୁର ରାଉତରାୟଙ୍କ ଲବି କାମ କଲା । ଦୁିଘଣ୍ଟା ଭିତରେ ତାଙ୍କ ପୁଅ ମନ୍ମଥ ରେଉତରାୟଙ୍କୁ ବିଜେଡି ସାଂସଦ ଟିକଟ ଦେଲା । ବିଜେପିର ଲେଖାଶ୍ରୀ ଓ ଭୃଗୁ ବକ୍ସିପାତ୍ର ଗତ ଦଶବର୍ଷ ଭିତରେ ନବୀନଙ୍କୁ କି ପ୍ରକାର କଟାକ୍ଷ କରିନାହାଁନ୍ତି, ଆମେ ସମସ୍ତେ ଜାଣିଛେ, ମାତ୍ର ଦଳ ଟିକଟ ଦେଲାନି ବୋଲି ସେମାନେ ଶତ୍ରୁ ଶିବିରରେ ଶରଣ ପଶିଲେ, ଆଉ ଟିକଟ ବି ପାଇଲେ । ଏମିତି ଶତ୍ରୁ ଶିବିରର ନେତାଙ୍କୁ ନେଇ ଦୁଇ ପ୍ରମୁଖ ଦଳ ରଣନୀତି ପ୍ରସ୍ତୁତ କଲେ । ଦୁଇ ଦଳର ମିତ୍ରତା ଯେତେବେଳେ ଶତ୍ରୁତାରେ ପରିଣତ ହୋଇଗଲା, ସେତେବେଳେ ରଣଦୁନ୍ଦୁଭିରେ ଶଙ୍ଖ ଓ ପଦ୍ମ ଶିବିର ପ୍ରକମ୍ପିତ ହେବାକୁ ଲାଗିଲା ।

ମିତ୍ରତା ଶତ୍ରୁତାରେ ପରିଣତ ହେବା ପରେ ରାଜନୈତିକ ଜିଦି ବଢିଗଲା । କଳେ ବଳେ ଏଥରକ ନିର୍ବାଚନ ଜିତିବାକୁ ହେବ । ସେଥିପାଇଁ ଚାଲିଲା ସମରସଜ୍ଜା । ଯେହେତୁ ଦୀର୍ଘଦିନ ଧରି ଦୁଇ ଦଳ ଭିତରେ ମିତ୍ରତା ରହିଥିଲା, ସେଥିପାଇଁ କଳି ଆରମ୍ଭ ହେବା ପରେ ପରସ୍ପରର ଗୋହି ଖୋଳିବା ଆରମ୍ଭ କଲେ । ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ବିଜେପି ନେତାମାନେ ବିଜେଡି ଶିବିରର ମୁଖ୍ୟ ସେନାପତି ଭି.କେ. ପାଣ୍ଡିୟାନଙ୍କୁ ଟାର୍ଗେଟ କଲେ । ଓଡିଶା ଦଖଲ ପାଇଁ ବିଜେପିର ରାଷ୍ଟ୍ରୀୟ ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ନେତୃତ୍ବରେ ଦଳ ରଣନୀତି ତିଆରି କଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ, ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ବଶମା, ରାଜନାଥ ସିଂ, ହେମାମାଳିନୀଙ୍କ ଭଳି ବହୁ ଭେଟେରାନ ନେତାଙ୍କ ଘନ ଘନ ଓଡିଶା ଗସ୍ତ, ରୋଡ୍ ସୋ, ସାଧାରଣ ସଭା ନିର୍ବାଚନ ମାହୋଲକୁ ପୁରାପୁରି ସରଗରମ କରିଦେଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ଏଜେଣ୍ଡା ହେଉଛି, ମୋଦୀ ଗ୍ୟାରେଣ୍ଟି ବନାମ ନବୀନ ଗ୍ୟାରେଣ୍ଟି । ବିଜେପି କହିଲା, ଆମେ ସରକାରକୁ ଆସିଲେ ବିଦ୍ୟୁତ ଭଡା ଛାଡ କରିବୁ । ବିଜେଡି ଘୋଷଣା କଲା, ଜୁଲାଇରୁ ଆଉ ବିଦ୍ୟୁତ ବିଲ୍ ଯିବନି । ଦେଢଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ଛାଡ କରାଯିବ । ମଧ୍ୟବିତ୍ତ ଭୋଟରଙ୍କୁ ବିଏସକେଓ୍ବାଇ କାର୍ଡ ଯୋଗାଇ ଦିଆଯିବ । ମୋଦି ଗ୍ୟାରେଣ୍ଟିରେ ପରିବାରର ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ । ନବୀନ ଗ୍ୟାରେଣ୍ଟିରେ ଯୁବବର୍ଗଙ୍କ ପାଇଁ ଲକ୍ଷେ କୋଟି ଟଙ୍କାର ବଜେଟ କରାଯିବ । ମୋଦୀ ଗ୍ୟାରେଣ୍ଟିରେ ଆଉ ପାଞ୍ଚବର୍ଷ ଚାଉଳ ମିଳିବ, ସବୁ ଜିଲ୍ଲାରେ ସୁପର ସ୍ପେସାଲିଟୀ ହସପିଟାଲ ହେବ । ନବୀନ ଗ୍ୟାରେଣ୍ଟିରେ ଦୁଇଲକ୍ଷ ବେକାରଙ୍କୁ ସରକାରୀ ନିଯୁକ୍ତି ଦିଆଯିବ । ଏମିତି ନବୀନ ଗ୍ୟାରେଣ୍ଟି ଓ ମୋଦୀ ଗ୍ୟାରେଣ୍ଟି ବିଜ୍ଞାପନରେ ଭୋଟରଙ୍କୁ ବହୁ ପ୍ରଲୋଭନ । ଭୋଟରଙ୍କ ଆଗରେ ପ୍ରଚଣ୍ଡ ପ୍ରଲୋଭନର ଶୁଖିଲା ବିଜ୍ଞାପନ ଖାଲି ନୁହେଁ, ବରଂ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ନଗଦ ଟଙ୍କା କାରବାର ବି ହେଉଛି । ନିର୍ବାଚନ ଆୟୋଗ ଦେଇଥିବା ସୂଚନା ଅନୁଯାୟୀ, ଚଳିତ ନିର୍ବାଚନରେ ଧରପଗଡ ସମୟରେ ନଗଦ ଟଙ୍କା ସମେତ 10 ହଜାର କୋଟି ଟଙ୍କାର ସାମଗ୍ରୀ ଜବତ ହୋଇସାରିଲାଣି । ନିର୍ବାଚନ ସରିବା ବେଳକୁ ଜବତ ଟଙ୍କା ପରିମାଣ ଆହୁରି ବୃଦ୍ଧି ପାଇବ । ଅର୍ଥାତ ଆଖି ଆଗକୁ ଆସୁଥିବା ଜବତ ସାମଗ୍ରୀ ବାହାରେ ଆହୁରି ଅଦେଖା ନଗଦ କାରବାର କେତେ ହେଉଥିବ, ତାହା ଅନୁମାନ ଲଗାଯାଇପାରେ । ନିର୍ବାଚନ ସଂପର୍କରେ ଜଣେ ସାଧାରଣ ବ୍ୟବସାୟୀଙ୍କୁ ପଚାରିଲି, ଟଙ୍କା ମିଳିଲାଣି । ସେ କହିଲେ, “ଆଜ୍ଞା ଟଙ୍କା ଉଡୁଛି । ଧରିପାରିଲେ ହେଲା । ହେଲେ କଣ ହେବ, ଯିଏ ଯାହା ଖର୍ଚ୍ଚ କରୁଛନ୍ତି, କ୍ଷମତାକୁ ଆସିଲେ କଡା ଗଣ୍ଡା କରି ଆମଠୁ ହିଁ ଆଦାୟ କରିନେବେ । ଆମେ ସବୁ ଭକୁଆ ।”
ଏବେ ପ୍ରଶ୍ନ ଉଠୁଛି, ଏହା କଣ ମୁକ୍ତ, ଅବାଧ ନିର୍ବାଚନ କି ? ବିନା ପ୍ରଲୋଭନରେ ଭୋଟରମାନେ ଭୋଟ ଦେଉଛନ୍ତି କି ? (ଅପୂର୍ବ କୁମାର ମହାନ୍ତି, ସଂପାଦକ/ତକ୍ଷକଟିଭି, 8847876626)

LEAVE A REPLY

Please enter your comment!
Please enter your name here