ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ କରିଛି । ସୋମବାର ବିଳମ୍ବିତ ରାତିରେ ରାଜଭବନ ଛକ ଏଲଆଇସି ଅଫିସ ପାଖରେ ଏକ ଫର୍ଚ୍ୟନର ଗାଡି ଛିଡା ହୋଇଥିଲା । ଆୟକର ବିଭାଗ ଟିମ୍ ଗାଡିଟିକୁ ଜବତ କରି ଛାନଭିନ କରିବା ପରେ ଗାଡି ଭିତରୁ କଳା ବ୍ୟାଗରେ ନଗଦ ଟଙ୍କା ବିଡା ଦେଖିବାକୁ ମିଳିଥିଲା । ଆୟକର ବିଭାଗ ଅଧିକାରୀ ଗାଡି ଭିତରେ ଥିବା ଲୋକଙ୍କୁ ଟଙ୍କା ସଂପର୍କରେ ପଚରାଉଚରା କରିଥିଲେ ହେଁ ସେମାନେ କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଗାଡିଟିକୁ ଜବତ କରାଯିବା ସହ ମିଳିଥିବା ଟଙ୍କା ଏସବିଆଇରେ ଡିପୋଜିଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗାଡିଟି ଯାୟଜପୁର ଟାଉନରେ ରହୁଥିବା ଜଣେ ବଡ ଠିକାଦାରଙ୍କର । ସେ ବିଜେଡିର ପ୍ରଭାବଶାଳୀ ନେତାଙ୍କ ପାଖ ଲୋକ ଭାବେ ଜଣାଶୁଣା । ରାଜ୍ୟ ସରକାରଙ୍କ ବିଭିନ୍ନ ବଡ ବଡ ନିର୍ମାଣ କାର୍ଯ୍ୟ ଏହି ଠିକାଦାରଙ୍କ ମାଲିକାନାରେ ଥିବା ସଂସ୍ଥା କରେ । ଆଜି ଆୟକର ବିଭାଗ ଯାଜପୁର ଟାଉନସ୍ଥିତ ଠିକାଦାର ମାନ୍ଧାତାଙ୍କ ଘରେ ଚଢାଉ କରିଥିବା ସୂଚନା ମିଳିଛି । ତେବେ ଜବତ ପାଞ୍ଚକୋଟି ଟଙ୍କା କେଉଁ ଉଦ୍ଦେଶ୍ୟରେ କାହା ପାଖକୁ ଯାଉଥିଲା, ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here