ଫେରିଲା ମାସ୍କ କଟକଣା । ବଢୁଥିବା କରୋନା ଓ ଇନଫ୍ଲୁଏଞ୍ଜା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ଏବେ ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମାସ୍କକୁ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସବୁ ସରକାରୀ କର୍ମଚାରୀଙ୍କୁ ଏବଂ ଅଫିସରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ବେସରକାରୀ ସଂସ୍ଥା , ସ୍କୁଲ ,କଲେଜ ଏବଂ ବ୍ୟାଙ୍କ ମାନଙ୍କରେ ବି ମାସ୍କକୁ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଜିଲ୍ଲାବାସୀଙ୍କୁ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ଅନୁରୋଧ କରିଛି । ଗହଳିପୂର୍ଣ୍ଣ ସ୍ଥାନକୁ ନଆସିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ତେବେ ସୋମବାର ମହାରାଷ୍ଟ୍ରରେ ୨୪୮ ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।
ଗତ ୨୪ ଘଣ୍ଟାରେ ଦେଶରେ ୩୦୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍କ୍ରମିତଙ୍କ ସଂଖ୍ୟା ୨୧ ହଜାର ପାର କରିଛି । କରୋନାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ଦେଶରେ ୩୬୪୧ ନୂଆ ସଙ୍କ୍ରମିତ ଚିହ୍ନଟ ହୋଇଥିଲେ । ୧୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।