‘ବଡଖବର’ ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲୁ ଆଜି ସକାଳୁ ଗିରଫ କରିଛି । ଅର୍ଦ୍ଧେନ୍ଦୁଙ୍କ ବିରୋଧରେ 1 କୋଟି ଟଙ୍କାରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ଥିଲା । ପୂର୍ବରୁ ଇଓଡବ୍ଲୁ ପକ୍ଷରୁ ଅର୍ଦ୍ଧେନ୍ଦୁଙ୍କ ଘର ରେଡ୍ କରିଥିଲା ଇଓଡବ୍ଲୁ । ତେବେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ହୋଇଥିବା ଠକେଇ ଅଭିଯୋଗ ଇଓଡବ୍ଲୁ ବିଚାର ପରିସରଭୁକ୍ତ ନୁହେଁ ବୋଲି ଅନେକ ଆଇନଜୀବୀ କହିଛନ୍ତି । ‘ବଡଖବର’ ଚ୍ୟାନେଲ ଆରମ୍ଭ କରିବା ବେଳେ ନୂଆଦିଲ୍ଲୀର ଏକ କଂପାନୀ ସହ ହାର୍ଡଓ୍ବେୟାର ଓ ସଫ୍ଟଓ୍ବେୟାର କିଣିବା ପାଇଁ ଚୁକ୍ତି ହୋଇଥିଲା । ଚୁକ୍ତି ମୁତାବକ ଅର୍ଦ୍ଧେନ୍ଦୁ ସଂପୃକ୍ତ କଂପାନୀକୁ ସଂପୂର୍ଣ୍ଣ ଟଙ୍କା ଦେଇ ନଥିଲେ । ଆହୁରି 92 ଲକ୍ଷ ଟଙ୍କା ବାକି ରହିଥିଲା । ଅର୍ଦ୍ଧେନ୍ଦୁଙ୍କ କହିବା କଥା, ସଂପୃକ୍ତ କଂପାନୀ ଦେଇଥିବା ବୈଦୁତିକ ସାମଗ୍ରୀର ମାନ ଖରାପ ଥିବାରୁ ଚୁକ୍ତି ମୁତାବକ ଟଙ୍କା ଦିଆଯାଇ ନ ଥିଲା । କଂପାନୀ ପକ୍ଷରୁ ଦିଆଯାଇଥିବା ସାମଗ୍ରୀର ପୁନଃ ମାନ ନିର୍ଦ୍ଧାରଣ ପାଇଁ ‘ବଡଖବର’ ପକ୍ଷରୁ କୁହାଯାଇଥିଲା । ଏହି ମାମଲାକୁ ନେଇ ଥାନାରେ ଏତଲା ଦିଆଯାଇପାରିଥାନ୍ତା ଏବଂ କୋର୍ଟରେ ମାମଲା ରୁଜୁ କରାଯାଇପାରିଥାନ୍ତା । ମାତ୍ର ସେମିତି ନ କରି ସଂପୃକ୍ତ କଂପାନୀ ଇଓଡବ୍ଲୁକୁ ଯିବା ଏବଂ କଂପାନୀର ଅଭିଯୋଗ ଆଧାରରେ ଘରୋଇ ନ୍ୟୁଜ ଚ୍ୟାନେଲର ମୁଖ୍ୟ ସଂପାଦକଙ୍କୁ ଗିରଫ କରିନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି ।

ଏବେ ସନ୍ଦେହ ସୃଷ୍ଟି ହୋଇଛି, ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିବା ପଛରେ କିଏ ? ସ୍ବାଭାବିକ ଭାବେ ସଂପୃକ୍ତ କଂପାନୀର ଅଭିଯୋଗ ଆଧାରରେ ଇଓଡବ୍ଲୁ ତାଙ୍କୁ ଗିରଫ କରିଛି ନା ଆଉ କାହାର ଚାପ ରହିଛି ?

LEAVE A REPLY

Please enter your comment!
Please enter your name here