ପ୍ରଥମ ଲହର ସଂକ୍ରମଣରେ କରୋନା ପାଇଁ ଯେଉଁ ଇଲାକା ଅପହଞ୍ଚ ଥିଲା, ଏଥରକ ସେସବୁ ଦୁର୍ଗମ ଅଞ୍ଚଳରେ ପହଞ୍ଚି ସାରିଲାଣି କରୋନା । ଆଦିବାସୀ, ଜନଜାତି ବହୁଳ ଦୁର୍ଗମ ଅଞ୍ଚଳରେ କରୋନା ସଂକ୍ରମଣ ଏବେ ଚିନ୍ତାର କାରଣ ହେଲାଣି । କଳାହାଣ୍ଡି, ରାୟଗଡା ଅଞ୍ଚଳରେ ନିୟମଗିରି ପାହାଡର ପାଦଦେଶ ହେଉ ଅବା ମାଲକାନଗିରିର ବଣ୍ଡାଘାଟି । କରୋନା ସଂକ୍ରମଣ ଏଡାଇବା ପାଇଁ ସ୍ଥାନୀୟ ପ୍ରଶାସନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ହେଁ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ବି ଟେଷ୍ଟ କରିବାକୁ ଚାହୁଁନାହାନ୍ତି ଏହି ଜନଜାତି ସଂପ୍ରଦାୟର ଲୋକେ । କେତେକ ଅଞ୍ଚଳରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ଦେବାଦେବୀଙ୍କୁ ବିଶ୍ବାସ କରି ପରୀକ୍ଷା କରିବାକୁ ମନା କରିଦେଇଛନ୍ତି ସେମାନେ । ଆଦିବାସୀଙ୍କୁ ରୋଗ ସଂପର୍କରେ ସଚେତନ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ମାଲକାନଗିରି ବଣ୍ଡା ଘାଟିରେ ରହୁଥିବା ବଣ୍ଡା ପରିବାରଙ୍କୁ ମଧ୍ୟ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ସଚେତନ କରାଯାଇଛି । ଥଣ୍ଡା, ଜ୍ବର ଓ କାଶ ହେଲେ ଡାକ୍ତର ଦେଖାଇବାକୁ ପରାମର୍ଶ ଦିଆଯାଇଛି । ତେବେ ଦୁର୍ଗମ ଅଞ୍ଚଳରେ କରୋନା ବ୍ୟାପିଲେ ସେମାନଙ୍କ ପାଖରେ ଚିକିତ୍ସା ସୁବିଧା କେତେଦୂର ପହଞ୍ଚିପାରିବ, ତାହା ଏବେ ବଡ ପ୍ରଶ୍ନ ।