ବରଗଡ଼ ପଦ୍ମପୁରରେ ଘଟିଛି ହୃଦୟବିଦାରକ ଘଟଣା ।ନିଆଁରେ ପୋଡ଼ି ହୋଇଯାଇଛି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ । ଘର ପାଖ ପଡ଼ିଆରୁ ଆଜି ସକାଳେ ନାବାଳିକାଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସରେ ପଦ୍ମପୁରରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ନାବାଳିକାଙ୍କ ଶରୀର ଶତ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ ମାମୁ ଘର ଗାଁ ପଡ଼ିଆରେ ପୋଡ଼ି ଯାଇଥିଲା। ପଡ଼ିଆରେ ତାଙ୍କର ଚପଲ, ପେଟ୍ରୋଲ୍ ବୋତଲ ସହ ଦିଆସିଲି ପଡ଼ିଥିବା ଦେଖିବାକୁ ମିଳିଛି । ମୃତ୍ୟୁ ପୂର୍ବରୁ ପୀଡ଼ିତା ବଞ୍ଚାଅ ବଞ୍ଚାଇ ବୋଲି ଚିତ୍କାର କରୁଥିବା ରେକର୍ଡ ହୋଇଛି ।
ଘଟଣାରେ ପ୍ରାରମ୍ଭିକ ତଦନ୍ତ ଜାରି ରହିଛି ଓ କିଛି ବ୍ୟକ୍ତିଙ୍କୁ ପଚାରାଉଚାର କରାଯାଉଛି। ଉତ୍ତରାଞ୍ଚଳ ଆଇଜିଙ୍କ କହିବା ଅନୁସାରେ, ଏହା ପାରିବାରିକ କଳହରୁ ଆତ୍ମହତ୍ୟା ହୋଇପାରେ। କିନ୍ତୁ ପ୍ରଶ୍ନ ଉଠୁଛି—ଏକ ନାବାଳିକାଙ୍କର କ’ଣ ଏମିତି ଘରୋଇ ବିବାଦ ଥିଲା ଯାହା ପାଇଁ ସେ ଏମିତି ପଦକ୍ଷେପ ନେଲା? ସେଥିପାଇଁ ରାଜନୀତିକ ମାହୋଳ ମଧ୍ୟ ଗରମ ହୋଇଯାଇଛି। ପିସିସି ସଭାପତିଙ୍କ ନିର୍ଦ୍ଦେଶରେ କଂଗ୍ରେସ ମୁଖପାତ୍ର ହମିଦ ହୁସେନ ଓ ଅନ୍ୟ କିଛି ନେତା ବୁର୍ଲା ପହଁଚିଥିଲେ। ଏପରିକି ବିଜେଡିର ଏକ ଦଳ ମଧ୍ୟ ପୀଡ଼ିତା ପରିବାରଙ୍କୁ ଭେଟିବା ପାଇଁ ବିମସାର ଯାଇଥିଲା, କିନ୍ତୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁଲିସ ଗେଟ୍ ବନ୍ଦ କରିଦେବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।














