2024 ଅପ୍ରେଲରେ ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମରେ ବିଧାନସଭା ନିର୍ବାଚନ ହେବ । ଅର୍ଥାତ ସାଧାରଣ ନିର୍ବାଚନ ସହ ଏହି ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଏକସଙ୍ଗରେ ହେବ । ଏବେ ତିନୋଟି ରାଜ୍ୟରେ ବିଜେପି କ୍ଷମତା ଦଖଲ ପରେ 2024 ପାଇଁ ରଣନୀତି ଆରମ୍ଭ ହୋଇଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏକ ପ୍ରକାର ସେମିଫାଇନାଲ ଶେଷ ହୋଇଛି । ତିନୋଟି ରାଜ୍ୟରେ ସଫଳତା ପରେ ଦେଶରେ ବିଜେପି ଶାସିତ ରାଜ୍ୟ ସଂଖ୍ୟା 12ରେ ପହଞ୍ଚିଛି । ସେହିପରି ଚାରୋଟି ରାଜ୍ୟରେ ବିଜେପି ଭାଗୁଆଳି ସରକାରରେ ରହିଛି । ଅତଏବ 16 ରାଜ୍ୟରେ ବିଜେପି ସରକାରରେ ରହିଛି ।
ଭୋଟ ରାଜନୀତିରେ ବିରୋଧୀ ନିଜର ବିଫଳତାକୁ ନେଇ ଦୋଷତ୍ରୁଟି ନ ସୁଧାରିଲେ ବିଜେପି ସାଧାରଣ ନିର୍ବାଚନରେ ଅକ୍ଳେଶରେ ପୁଣି କ୍ଷମତାସୀନ ହେବ । ତେବେ ସାଧାରଣ ନିର୍ବାଚନ ସହ ହେବାକୁ ଥିବା ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରୁ ବିଜେପିର ପ୍ରଥମ ଟାର୍ଗେଟରେ ରହିଛି ଓଡିଶା । ଗତ ଦୁଇ ଦଶନ୍ଧି ଧରି କ୍ଷମତାରେ ରହି ଆସିଥିବା ବିଜେଡି ସରକାରରେ ପ୍ରଥମ ଦୁଇ ପାଳି ବିଜେପି ଭାଗୁଆଳି ଶାସନରେ ରହିଥିବା ବେଳେ ଏବେ ବିରୋଧୀ ଦଳ ଆସନରେ ବସିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀଙ୍କୁ ନେଇ ଦଳ ଭିତରେ ଚର୍ଚ୍ଚା ଜୋର୍ ଧରିଛି । ଏଭଳି ସ୍ଥିତିରେ ବିଜେପି ଓଡିଶାରେ ରାଜନୈତିକ ପରିବର୍ତ୍ତନ ପାଇଁ କସରତ୍ ଆରମ୍ଭ କରିଛି । ଯଦିଓ ବିଜେଡି ଓ ବିଜେପି ରାଜ୍ୟରେ ସରକାରୀ ଓ ବିରୋଧୀ ଦଳ ଭାବେ ରହି ଆସିଛନ୍ତି, କିନ୍ତୁ ଉଭୟ ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଅନେକ କ୍ଷେତ୍ରରେ ବୁଝାମଣା କରି ଆସିଛନ୍ତି । ତେବେ ଓଡିଶାରେ ନବୀନଙ୍କ ବଦଳରେ ଆଉ କାହାକୁ ନେତୃତ୍ବ ନେବାକୁ ଯଦି ଦଳ ନିଷ୍ପତ୍ତି ନିଏ, ସେଭଳି ସ୍ଥିତିରେ ବିଜେପି ଫାଇଦା ଉଠାଇବାକୁ ମସୁଧା କରୁଛି । ତିନୋଟି ରାଜ୍ୟରେ ବିଜେପିର ବଡ ବିଜୟ ଆସନ୍ତାଦିନରେ ଓଡିଶା ବିଜୟ ପାଇଁ ସାହାଯ୍ୟ କରିବ ବୋଲି ଦଳ ଆଶା ରଖିଛି ।

LEAVE A REPLY

Please enter your comment!
Please enter your name here