ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ । ବାହାନଗାରେ ପହଞ୍ଚିଛନ୍ତି ସିବିଆଇର ଦଶଜଣିଆ ଟିମ୍ । କେଉଁ କାରଣ ପାଇଁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଲା ଏବଂ ଦୁର୍ଘଟଣା ମନୁଷ୍ୟକୃତ ଅବା ବୈଷୟିକ ତ୍ରୁଟି, ଖୋଜି ବାହାର କରିବ ସିବିଆଇ ।
ବାହାନଗା ଟ୍ରେନ ଦୁର୍ଘଟଣାରେ 275ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ 11ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାକୁ ନେଇ ପ୍ରଥମରୁ ଦ୍ବନ୍ଦ୍ବ ଲାଗି ରହିଛି । ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରିନି । ପ୍ରଥମରୁ ସିଗନାଲ୍ ସିଷ୍ଟମରେ ତ୍ରୁଟି ଥିବା କଥା କୁହାଯାଉଥିଲା, ମାତ୍ର ଟ୍ରେନ ଡ୍ରାଇଭରଙ୍କ ବୟାନ ରେକର୍ଡ ଅନୁଯାୟୀ ଗ୍ରୀନ ସିଗନାଲ ମିଳିବା ପରେ ଟ୍ରେନ ଯାଉଥିଲା । ଦୁର୍ଘଟଣା ପଛରେ ଅପରାଧିକ ଷଡଯନ୍ତ୍ର ଥିବା ଆଶଙ୍କା କରାଯାଉଛି । ଖୋର୍ଦ୍ଧା ଡିଆରଏମ ଫିଜିକାଲ ଟାମ୍ପରିଂ ଯୋଗୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରିବା ପରେ ଅପରାଧିକ ଷଡଯନ୍ତ୍ରର ସୂଚନା ମିଳୁଛି । ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଥିବା କଥା ମଧ୍ୟ କେତେକ ରେଳବାଇ ଅଧିକାରୀ କହୁଛନ୍ତି । ଏସବୁ ଆଶଙ୍କା ଦୂର କରିବା ପାଇଁ ଏବଂ ଦୁର୍ଘଟଣା ପଛରେ ଥିବା କାରଣ ବାହାର କରିବା ପାଇଁ ସିବିଆଇ ଟିମ୍ ବାହାନଗା ଷ୍ଟେସନ, ସିଗନାଲ୍ ଅଫିସ୍, ଦୁର୍ଘଟଣାସ୍ଥଳକୁ ଯାଇ ଖୋଳତାଡ କରିବା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here