ଭୁବନେଶ୍ବର : ଜଗା ଭାଇଙ୍କୁ ତମେ ଏମିତି କାହିଁକି କହିଲ, ଅପମାନିତ କାହିଁକି କଲ – ଏମିତି କହି ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରିବା ସହ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପିର କାର୍ଯ୍ୟକର୍ତ୍ତା । ଏହି ଘଟଣାରେ ପୋଲିସ ଜଣେ କର୍ପୋରେଟରଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି । ଆଜି ଦିନ ଏଗାରଟାରେ ବିଏମସି କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣାଣୀ କରୁଥିବା ବେଳେ ଏହି ଘଟଣା ଘଟିଥିଲା । 29 ନମ୍ବର ଓ୍ବାର୍ଡର କର୍ପୋରେଟର ଜୀବନ ରାଉତଙ୍କ ସହ କିଛି ଯୁବକ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ପ୍ରକୋଷ୍ଠରେ ପହଞ୍ଚିଥିଲେ । ଶ୍ରୀ ସାହୁଙ୍କୁ ସେମାନେ ଜଗାଭାଇଙ୍କୁ କାହିଁକି ଏମିତି କହିଲ ବୋଲି ପ୍ରଶ୍ନ କରିବା ସହ ତାଙ୍କୁ ବାହାରକୁ ଘୋଷାଡି ନେଇ ଯାଇଥିଲେ । ମୁଥ ମାରି ତଳେ ପକାଇବା ପରେ ଗୋଇଠା ମାରିଥିଲେ । ଖାରବେଳନଗର ଥାନାରେ ଶ୍ରୀ ସାହୁ ଏତଲା ଦେବା ପରେ ପୋଲିସ କର୍ପୋରେଟର ଜୀବନ ରାଉତଙ୍କ ସମେତ ରଶ୍ମୀ ମହାପାତ୍ର ଓ ଦେବାଶୀଷ ପ୍ରଧାନଙ୍କୁ ଗିରଫ କରିଛି । ତେବେ ଏହି ଘଟଣାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେଡି କର୍ମୀମାନେ ରାସ୍ତାରୋକୋ କରିବା ସହ ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ କରିବାକୁ ଦାବି କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଅପରାଧୀ ବିଜେପି କାର୍ଯ୍ୟକର୍ତ୍ତା ହେଲେ ମଧ୍ୟ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

LEAVE A REPLY

Please enter your comment!
Please enter your name here