ବିଜେପୁରରେ ବିଜେଡିର ହାଟ୍ରିକ ବିଜୟ । ଲଗାତର ଭାବେ ତୃତୀୟ ଥର ପାଇଁ ବିଜେଡି ବିଜେପୁରରେ ବାଜିମାତ ମାରିବା ସହ ନୂଆ ରେକର୍ଡ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ଠାରୁ ୯୭ ହଜାର ୯୯୦ ଭୋଟ ବ୍ୟବଧାନରେ ଜିତି ନୂଆ ରେକର୍ଡ କରିଛନ୍ତି । ବିଜେପି ପ୍ରାର୍ଥୀ ସନତ ଗଡତିଆ ୩୭ ହଜାର ୯୬୭ ଖଣ୍ଡ ଭୋଟ ପାଇଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଖଣ୍ଡପଡାରୁ ସର୍ବାଧିକ ୮୧ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତି ରେକର୍ଡ କରିଥିବା ବେଳେ ରୀତା ସାହୁଙ୍କ ବିଜୟ ବ୍ୟବଧାନ ସୌମ୍ୟରଂଜନଙ୍କ ରେକର୍ଡକୁ ବି ଭାଙ୍ଗି ଦେଇଛି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ୫ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।
ବିଜେପୁର ଉପନିର୍ବାଚନର ସବୁଠୁ ଗୁରୁତ୍ୱପୂର୍ଣ ଦିଗ ହେଉଛି, କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ୨୦୧୮ରେ ହୋଇଥିବା ଉପନିର୍ବାଚନରେ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ରୀତା ସାହୁ ଉପନିର୍ବାଚନରେ ବିଜୟ ଲାଭ କରି ମାତ୍ର ଦଶମାସ ପାଇଁ ବିଧାୟକ ହୋଇଥିଲେ । ୨୦୧୯ରେ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରଂପରିକ ଆସନ ହିଂଜିଳି ସମେତ ବିଜେପୁରରୁ ପ୍ରାର୍ଥୀ ହୋଇ ପଶ୍ଚିମ ଓଡିଶାବାସୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିଲେ । ମାତ୍ର ନବୀନ ବିଜେପୁରରୁ ୫୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବା ପରେ ହିଂଜିଳି ଆସନ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ନବୀନ ବିଜେପୁର ଛାଡିବା ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ପୁଣି ରୀତା ସାହୁଙ୍କ ପ୍ରାର୍ଥୀ କରି ନିଜର ଲୋକପ୍ରିୟତା ପ୍ରମାଣିତ କରିଛି । ବିଜେପୁର ଆସନ ରୀତା ସାହୁ ଓ ସନତ ଗଡତିଆଙ୍କ ଅପେକ୍ଷା ଦୁଇ ପ୍ରମୁଖ ଦଳର ନେତା ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତାକୁ ନେଇ ହେଉଥିବା କୁହାଯାଉଥିଲା । ଯଦିଓ ବିଜେଡି ଜିତିବ ବୋଲି ଆକଳନ ହୋଇଥିଲା, ମାତ୍ର ଭୋଟ ବ୍ୟବଧାନ ଉପରେ ସମସ୍ତଙ୍କ ନଜର ରହିଥିଲା ।