ଜୋର୍ ଧରିଛି ଲଘୁଚାପ । ଉପକୂଳ ଜିଲ୍ଲାଗୁଡିକରେ ବର୍ଷାର ତାଣ୍ଡବ ଲୀଳାକୁ ନେଇ ପ୍ରଶାସନ କେଉଁଠି ରେଡ୍ ଓାଣିଂ ତ କୋଉଠି ଅରେଞ୍ଜ ଓ ୟେଲୋ ଓାଣିଂ ଜାରୀ କରିଛନ୍ତି । ବର୍ଷା ବିତ୍ପାତର ମୁକାବିଲା ପାଇଁ ସଜାଗ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମାତ୍ର ବର୍ଷା ବିପର୍ଯ୍ୟୟକୁ ମୁକାବିଲା କରିବା ବଦଳରେ ଜଣେ ତହସିଲଦାର ପୁରା ଫୋର୍ସ ସହ ବାହାରିଛନ୍ତି ଘର ଭାଙ୍ଗିବା ଅଭିଯାନରେ ।
ଇଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ବଡ ମୂଳବସନ୍ଦ ପଞ୍ଚାୟତର ସାତ ନଂ ୱାର୍ଡ । ଏହି ଓାର୍ଡରେ ସରକାରୀ ଜମିରେ ରୁହନ୍ତି ସତୁରୀ ବର୍ଷ ବୟସ୍କ ଅଚ୍ୟୁତାନନ୍ଦ ମଳିକଙ୍କ ପରିବାର । ସରକାରୀ ଜମିରୁ ଅଚ୍ୟୁତାନନ୍ଦଙ୍କ ପରିବାରକୁ ଉଚ୍ଛେଦ କରିବାକୁ ତହସିଲଦାର ବାବୁ କୁଆଡେ ଛ ମାସ ତଳେ ନୋଟିସ କରିଥିଲେ । ହାଇକୋର୍ଟ ମଧ୍ୟ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସରକାରୀ ଜମିରୁ ଉଚ୍ଛେଦ କରିବା ପାଇଁ ତହସିଲଦାର ବାବୁଙ୍କୁ ଆଜି ସମୟ ମିଳିଥିଲା । କେନ୍ଦ୍ରାପଡା ଜିଲ୍ଲାରେ ଅରେଞ୍ଜ ଓାଣିଂ ଜାରି ହୋଇଥିବା ବେଳେ ସକାଳୁ ସକାଳୁ ତହସିଲଦାର ପୁରା ଫୋର୍ସ ସହ ପହଞ୍ଚି ଯାଇଥିଲେ । ଲଗାଣ ବର୍ଷା ସମୟରେ କେମିତି ଘର ଭାଙ୍ଗିବାକୁ ଯାଉଛନ୍ତି ବୋଲି ଆମ ରିପୋର୍ଟର ପଚାରିବାରୁ ତାତି ଯାଇଥିଲେ ତହସିଲଦାର । ଶୁଣନ୍ତୁ କଣ କହୁଛନ୍ତି ତହସିଲଦାର । ପୁରା ଫୋର୍ସ ସହ ତହସିଲଦାରଙ୍କ ଉପସ୍ଥିତି ଦେଖି ଅସହାୟତା ପ୍ରକାଶ କରିଥିଲେ ସତୁରୀ ବର୍ଷ ବୟସ୍କ ଅଚ୍ୟୁତାନନ୍ଦ. ଲଘୁଚାପ ଯୋଗୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ ତହସିଲଦାର ମହାଶୟ ଜଣେ ଗରିବ ଲୋକର ଘର ଉଚ୍ଛେଦ ପାଇଁ ବାହାରିବା ଗ୍ରାମବାସୀଙ୍କୁ ବି ଚକିତ କରିଦେଇଥିଲା ।

LEAVE A REPLY

Please enter your comment!
Please enter your name here