ଶେଷରେ ଗିରଫ ହେଲେ ମାନସ ଦାସ । ମାନବବାଦୀ ସଂଗଠନ ନାଁରେ ରାଜ୍ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କୁ ନେଇ କିଛିଦିନ ଧରି ମିଡିଆରେ ଚର୍ଚ୍ଚା ଚାଲିଥିଲା । ମାନସଙ୍କ ବିରୋଧରେ ଜାତିଆଣ ଆରୋପ, ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା । ସବୁଠୁ ବଡ ପ୍ରସଙ୍ଗ ହେଉଛି, ମାନସଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଧ ଥିବା ବେଳେ ସେ ନିଜକୁ ସୁରକ୍ଷିତ ରଖିବା ପାଇଁ 2019ରେ ବିଜେଡି ସହ ସଂପର୍କ ଯୋଡିଥିଲେ । ଶାସକ ଦଳ ବିଧାୟକ, ସାଂସଦଙ୍କୁ ନିଜର ସ୍ତାବକ ପରିଣତ କରିବାରେ ସମର୍ଥ ହୋଇଥିଲେ । ମାତ୍ର ମିଡିଆ ଚାପରେ ସବୁ ଗୁମର ଖୋଲିଗଲା ମାନସଙ୍କର । ବିଜେଡି ସହ ଲିଙ୍କକୁ ନେଇ ବିରୋଧୀ ବି ବିଧାନସଭାରେ ଅଙ୍ଗୁଳି ଉଠାଇଲେ । ଶେଷରେ ମାନସ ଦାସଙ୍କୁ ଆଜି ଖୋର୍ଦ୍ଧା ପୋଲିସ ଭୁବନେଶ୍ବର ଶହିଦନଗର ସ୍ଥିତ ଘରୁ ଉଠାଇ ଆଣିଛି । ମାନସଙ୍କ ଗିରଫ ଦାବି କରି ଗତକାଲି ଖୋର୍ଦ୍ଧା ଏସପି ଅଫିସ ସାମନାରେ ଏଗାରଟି ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା ।
ସୂଚନାଯୋଗ୍ୟ, ମାନସଙ୍କ ନେତୃତ୍ବରେ ଚାଲିଥିବା ମାନବବାଦୀ ସଂଗଠନର କର୍ମୀମାନେ ବେଗୁନିଆ ଅଞ୍ଚଳର ଦୁଇଜଣ ବାପପୁଅଙ୍କୁ ଘର ଭିତରେ ଅକଥନୀୟ ନିର୍ଯାତନା ଦେବା ସହ ନିର୍ଧୁମ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା । ଏହି ମାଡମରା ଭିଡିଓ ହିଁ ମାନସଙ୍କ ସବୁ ଗୁମର ଖୋଲିବାରେ ସଫଳ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ମାନସଙ୍କ ବିରୋଧରେ ଗୋଟିକ ପରେ ଗୋଟିଏ ତଥ୍ୟ ପଦାକୁ ଆସିଥିଲା । ଏପରିକି ମାନସଙ୍କ ଦ୍ବାରା ଅତ୍ୟାଚାରର ଶୀକାର ହୋଇଥିବା ବହୁ ଗରିବ ଶ୍ରେଣୀର ଲୋକେ ମିଡିଆ ଆଗରେ ମୁହଁ ଖୋଲି ସେମାନଙ୍କ ଅତ୍ୟାଚାରର କାହାଣୀ କହିଥିଲେ । ଏପରିକି ଅନେକ ପରିବାର ଅତ୍ୟାଚାର ସହି ନ ପାରି ଗାଁ ଛାଡି ପଳାଇଥିବା ଜଣାପଡିଥିଲା । ଆଜି ମଧ୍ୟ ଜଣେ ବ୍ୟକ୍ତି ମାନସ ଓ ତାଙ୍କ ପୁଅ 2019ରେ ଫୋନ ଯୋଗେ ତାଙ୍କ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ।