ରୋଗ ହେଲେ ରୋଗୀର ଭରସା ଡାକ୍ତରଖାନା, ହେଲେ ଚିକିତ୍ସା ମିଳୁଥିବା ସ୍ଥାନରେ ଯଦି ରୋଗୀ ବିଶ୍ୱାସ ହରାଇ ବସେ ତେବେ ସେ ଯିବ କୁଆଡେ ? ମୃତ୍ୟୁ ସହ ଲଢୁଥିବା ମଣିଷ ପାଖରେ ଆଉ କିଛି ରାସ୍ତା ରହିନଥାଏ. ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ. ଚିକିତ୍ସା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମନା କରିବା ପରେ, ଜଣେ ଏଚଆଇଭି ପଜେଟିଭ୍ ରୋଗୀ ଆତ୍ମହତ୍ୟା କରିଛନ୍ତି.

ପରିବାର ଲୋକଙ୍କ କହିବା ଅନୁସାରେ, ଏଚଆଇଭି ପଜେଟିଭ୍ ଯୁବକ ଜଣକ ପଣ୍ଡିଚେରୀରେ ରହି କାମ କରୁଥିବା ବେଳେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ନିଜ ରୋଗ ବିଷୟରେ ଜାଣିବାକୁ ପାଇଥିଲେ. ଏହାପରେ ସେ ଓଡିଶା ନିଜ ଘରକୁ ଫେରିଆସିଥିଲେ. ଏଠାରେ ସେ କଟକ ଏସସିବି ମେଡିକାଲରେ ଡାକ୍ତରଙ୍କ ସହ ସାକ୍ଷାତ କରିଥିଲେ. ମାତ୍ର ଡାକ୍ତର ତାଙ୍କୁ ଚିକିତ୍ସା କରିବେ ନାହିଁ ବୋଲି ମନା କରିଦେଇଥିଲେ. ପରିବାର ଲୋକେ ଏଚଆଇଭି ବିଭାଗରେ ଭର୍ତ୍ତି କରିବା ପାଇଁ ଯାଇଥିଲେ ହେଲେ କର୍ତ୍ତୃପକ୍ଷ ରୋକଠୋକ୍ ମନା କରିଦେଇଥିଲେ ଓ କେନ୍ଦୁଝର ମେଡିକାଲରେ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦେଇଥିଲେ. ସେଠାରେ ପହଁଞ୍ଚି ମଧ୍ୟ ସେ ନିରାଶ ହୋଇ ଭଦ୍ରକ ଡାକ୍ତରଖାନା ଯାଇଥିଲେ. ଆଉ ଦୁଃଖର ବିଷୟ ସେଠାରୁ ବି ଖାଲି ହାତରେ ଫେରିବାକୁ ପଡ଼ିଥିଲା ଯୁବକଙ୍କୁ.

ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯୁବକ ଶେଷରେ ମୃତ୍ୟୁକୁ କୋଳେଇ ନେଇଥିଲେ. ଗଛରେ ରସି ଲଗାଇ ଆତ୍ମହତ୍ୟା କରିଲେ. ଭୟଙ୍କର ରୋଗରେ ପୀଡିତ ହେବା ପରେ ଚିକିତ୍ସା ନପାଇଁ ମାନସିକ ଭାରସମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଯୁବକଙ୍କ ମାଆ.

ଘଟଣା ପରେ ଯୁବକଙ୍କ ପରିବାର ସଂପୃକ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅବହେଳା ଅଭିଯୋଗ ଆଣି ଥାନାରେ ମାମଲା ଦାୟର କରିଛନ୍ତି.

 

 

 

 

 

 

 

LEAVE A REPLY

Please enter your comment!
Please enter your name here