ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ନେଇ ଆଜି ବିଜେଡି ରାଜ୍ୟପାଳଙ୍କୁ ଭେଟିଛି । ଗତ ଚାରିଦିନ ଧରି ଏହି ଘଟଣାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ବିଧାନସଭାରେ ବିଧାୟକ ସୁବାସ ପାଣିଗ୍ରାହୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଥିଲା । ଏହାକୁ ନେଇ ଗୃହରେ ହଟ୍ଟଗୋଳ ହେବା ଯୋଗୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ । ବିଜେଡି ବିଧାୟକମାନେ ରାଜଭବନକୁ ଯାଇ ବିଜେପି ବିଧାୟକ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରି ସ୍ମାରକପତ୍ର ଦେଇଛନ୍ତି । ଆତ୍ମହତ୍ୟା ପାଇଁ ଉଦ୍ୟମ କରି ବିଧାୟକ ଗୃହର ଗାରିମା ନଷ୍ଟ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେଡି ବିଧାୟକ ଦଳରେ ଶଶୀ ଭୂଷଣ ବେହେରା, ପ୍ରଣବ ପ୍ରକାଶ ଦାସ, ସ୍ନେହାଙ୍ଗିନୀ ଛୁରିଆ, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ଅନନ୍ତ ନାରାୟଣ ଜେନା ପ୍ରମୁଖ ରାଜ୍ୟପାଳଙ୍କୁ ଭେଟିଥିଲେ ।