ବିହାର ନିର୍ବାଚନ ପାଇଁ ଦୁଇ ମେଣ୍ଟ ଦଳ ପରସ୍ପର ଉପରେ ଘମାଘୋଟ ଆକ୍ରମଣ କରିବାରେ ଲାଗିଛନ୍ତି I ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାରାଥନ ରାଲି କରିଛନ୍ତି I ଲାଲୁ ପ୍ରସାଦ ଯାଦବଙ୍କ ଗଡ ଛାପରାରେ ମୋଦୀ ମହାମେଣ୍ଟ ଉପରେ ପ୍ରଚଣ୍ଡ ବର୍ଷିଛନ୍ତି I ଆରଜେଡିର ତେଜସ୍ବୀ ଯାଦବ ଓ କଂଗ୍ରେସର ରଣଦୀପ ସୁରଜଓାଲା ବିଜେପି ଓ ଜେଡିୟୁ ମେଣ୍ଟକୁ ‘ଡବଲ ଇଂଜିନ’ କହି ସମାଲୋଚନା କରିଥିବା ବେଳେ ଆଜି ମୋଦୀ ସେହି ପ୍ରସଙ୍ଗ ଉଠାଇ ‘ଡବଲ ଡବଲ ଯୁବରାଜ’ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି I ଏନଡିଏର ଡବଲ ଇଂଜିନ ବିକାଶ ପାଇଁ ଅଙ୍ଗୀକାରବଦ୍ଧ ବୋଲି କହିବା ସହ ମୋଦୀ କହିଛନ୍ତି, ଡବଲ ଡବଲ ଯୁବରାଜ କେବଳ ନିଜ ନିଜ ଭାବମୂର୍ତ୍ତି ରକ୍ଷା ପାଇଁ ଲଢେଇ କରୁଛନ୍ତି I ତେଜସ୍ବୀ ଯାଦବଙ୍କୁ ଜଙ୍ଗଲରାଜର ଯୁବରାଜ ବୋଲି ଆକ୍ଷେପ କରି ମୋଦୀ କହିଛନ୍ତି, ଉତ୍ତର ପ୍ରଦେଶରେ ଡବଲ ଡବଲ ଯୁବରାଜଙ୍କୁ ଏନଡିଏ ହରାଇକି ଆସିଥିବା ବେଳେ ଏଠି ବି ସେହି ଦଶା ଭୋଗିବାକୁ ପଡିବ I ବିଜେପି ସଭାପତି ଜେ.ପି. ନଡ୍ଡା ବିହାରରେ ଏନଡିଓ ଐତିହାସିକ ବିଜୟ ହାସଲ କରିବ ବୋଲି କହିଛନ୍ତି I ଅନ୍ୟପକ୍ଷରେ କଂଗ୍ରେସ ଓ ଆରଜେଡି ଏନଡିଏକୁ ସମାଲୋଚନା କରିବା ସହ ବିହାରରେ ନୀତିଶଙ୍କ ସମୟରେ 30 ହଜାର କୋଟି ଟଙ୍କାର 60ଟି ଦୁର୍ନୀତି ହୋଇଛି ବୋଲି ଆରୋପ ଲଗାଇଛନ୍ତି I 2015 ନିର୍ବାଚନ ବେଳେ ନୀତିଶଙ୍କ ସହ ମେଣ୍ଟ କରି ନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ 33ଟା ସ୍କାମ ଗଣିଥିଲେ I ଆସନ୍ତା ବୁଧବାର ଦିନ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ I