ବାଲେଶ୍ବର ସଦର ଉପନିର୍ବାଚନରେ ଚର୍ଚ୍ଚିତ ପ୍ରାର୍ଥୀ ବେଣୁ ମଉସା ଓ ଓରଫ ବେଣୁଧର ବାରିକ I ଉପନିର୍ବାଚନରେ ତିନିଜଣ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ବେଣୁଧର ବାରିକ ଜଣେ I ମାତ୍ର ତାଙ୍କ ନିର୍ବାଚନ ପ୍ରଚାର ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଏମିତି ପ୍ରଚାରିତ ହେଲା ଯେ, ବେଣୁ ମଉସାଙ୍କୁ ସାହାଯ୍ୟ ସହଯୋଗର ସୁଅ ଛୁଟିଛି I କିଏ ନିର୍ବାଚନ ଗୀତ ରୋକର୍ଡ କରାଇ ଦେଲାଣି ତ ଆଉ କିଏ ତାଙ୍କ ପାଇଁ ପୋଷ୍ଟର ବାଣ୍ଟିଲାଣି I ସାଇକେଲରେ ବୁଲି ବୁଲି ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଣୁ ମଉସାଙ୍କ ପାଇଁ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କଠୁ ଆରମ୍ଭ କରି ବହୁ ସମାଜସେବୀ, ଶୁଭେଚ୍ଛୁ ନିର୍ବାଚନ ପ୍ରଚାର କରିଛନ୍ତି I ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କୁ ଟକ୍କର ଦେବା ପାଇଁ ଅଂଟା ଭିଡିଛନ୍ତି ବେଣୁ ମଉସା I ତଥାକଥିତ ରାଜନୀତି ଓ ରାଜନେତାଙ୍କଠୁ ଭିନ୍ନ ମଣିଷ ବେଣୁ ମଉସା ଗରିବ ଲୋକଙ୍କ ସେବା ପାଇଁ ରାଜନୀତିକୁ ଓହ୍ଲାଇଛନ୍ତି I ତେବେ ବେଣୁ ମଉସା ସାଇକେଲରୁ ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ଖୋଲା ଦାମୀ କାରରେ ବୁଲି ପ୍ରଚାର କରିବାକୁ କେହି କେହି ନାପସନ୍ଦ କରିଛନ୍ତି I ବରଂ ବେଣୁ ମଉସା ଭୋଟ ବିଭାଜନ ପାଇଁ ପ୍ରଭାବଶାଳୀ ନେତାଙ୍କ ପ୍ରାୟୋଜିତ ପ୍ରାର୍ଥୀ ବୋଲି ଚର୍ଚ୍ଚା ହେଉଛି I ଗତ ନିର୍ବାଚନରେ ଏହି ଆସନରୁ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ବିଜୟୀ ହୋଇଥିବା ବେଳେ ଏଥର ତାଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଛି I ତେଣୁ କୌଣସିମତେ ବିଜେପି ନିଜ ଆସନଟିକୁ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି I ଅନ୍ୟପକ୍ଷରେ ବିଜେଡି ସ୍ବରୁପ ଦାସଙ୍କୁ ପ୍ରାର୍ଥୀ କରିଛି I ସ୍ବରୁପଙ୍କ ପ୍ରାର୍ଥୀତ୍ବକୁ ନେଇ ଦଳ ଭିତରେ ଆରମ୍ଭ ହୋଇଥିବା ଅସନ୍ତୋଷ ଏବେ ଭିତରେ ଭିତରେ କୁହୁଳୁଛି I ଦଳୀୟ ଅସନ୍ତୋଷକୁ ତାଳି ପକାଇ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ବିଜେଡିର ବହୁ ନେତା ଓ ମନ୍ତ୍ରୀ ବାଲେଶ୍ବରରେ ଡେରା ପକାଇଛନ୍ତି, ତଥାପି ନିର୍ବାଚନ ଫଳକୁ ନେଇ ସନ୍ଦୀହାନ ଅଛନ୍ତି ସମସ୍ତେ I ତେବେ ବିଜେଡି ଓ ବିଜେପିର ବ୍ୟୟବହୁଳ ନିର୍ବାଚନ ପ୍ରଚାର ଭିତରେ ବେଣୁ ମଉସା ନିର୍ଣ୍ଣାୟକ ହେବେ ବୋଲି ଚର୍ଚ୍ଚା ହେଉଛି I

LEAVE A REPLY

Please enter your comment!
Please enter your name here