ସ୍ଥଳଭାଗ ଛୁଇଁ ସାରିଛି ବାତ୍ୟା ବୁଲ୍ ବୁଲ୍ । ହେଲେ ବାଳେଶ୍ୱର, କେନ୍ଦ୍ରାପଡା , ପାରାଦୀପରେ ରଚିଛି ତାଣ୍ଡବ । ସମୂଦ୍ରର ଘୋ ଘୋ ଗର୍ଜନ । ଅଶାନ୍ତ ହୋଇ କୂଳକୁ ମାଡି ଆସୁଥିଲା ଏହିଭଳି ଢଙ୍ଗରେ । ଏପଟେ ବହୁଥିଲା ଅଣଚାଷ ପବନ ତା ସହ ବର୍ଷାର ତାଣ୍ଡବ । ଏ ହେଉଛି ସାଇକ୍ଲୋନିକ ଷ୍ଟର୍ମ ବୁଲ୍ ବୁଲ୍ ର ପ୍ରଭାବ । ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇବା ବେଳେ ବୁଲ୍ ବୁଲ୍ ଏପରି ରୂପ ଦେଖାଇଛି କେନ୍ଦ୍ରାପଡା ରାଜକନିକା ଅଞ୍ଚଳରେ । କେବଳ ଏତିକି ନୁହେଁ ପ୍ରବଳ ପବନ ମାଡରେ ଗଛ ଭାଙ୍ଗିଯାଇ ଅବରୋଧ ହୋଇପଡିଛି ରାସ୍ତାଘାଟ । ସେହିପରି କାହା ଘର ଉପରେ ବିରାଟକାୟ ଗଛ ପଡିଛି ତ କାହା ମାଟି ଘର ଦିନ ତମାମ ବର୍ଷାରେ ବତୁରି ଯାଇଛି । ବୁଲ୍ ବୁଲ୍ ଯେ ଖାଲି ଘର ଆଉ ଚୁଲିକୁ ଉଜାଡି ଦେଇଛି ତାହା ନୁହେଁ, ନଷ୍ଟ କରିଦେଇଛି ହେକ୍ଟର ହେକ୍ଟର ଫସଲ । ଦିନ କେଇଟା ପରେ ଫସଲ ଅମଳ କରିଥାନ୍ତେ ଚାଷୀ । କିନ୍ତୁ ବର୍ଷା ଓ ପବନ ମାଡରେ ଲୋଟି ପଡିଛି ଅମଳକ୍ଷମ ଧାନ ଫସଲ । ଗୋଟିଏ ପଟେ ବୁଲ ବୁଲର କରାଳ ରୂପ ଲୋକଙ୍କୁ ଆତଙ୍କିତ କରିଦେଇଥିବା ବେଳେ ଶନିବାର ଅପରାହ୍ନରେ କିଛି ସମୟ ପାଇଁ ଆକାଶରେ ବୁଣି ହୋଇଯାଇଥିଲା ସୁନେଲି ରଙ୍ଗ । ଧ୍ୱଂସର ବିଭୀଷିକା ପରେ ସବୁ ଯେମିତି ଶାନ୍ତ ପଡିଯାଇଥିଲା ।

LEAVE A REPLY

Please enter your comment!
Please enter your name here