ଆମେରିକା ସହିତ ଶୁକ୍ଳ ବିବାଦ ଚାଲିଥିବା ସମୟରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ5
ପାଖାପାଖି ୫ଟି ମହତ୍ତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ନୂଆଦିଲ୍ଲୀ ସାକ୍ଷାତରେ ଦୁଇ ଦେଶ ମଧ୍ୟରେ ୫ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସବୁଜ ପରିବହନ ଠାରୁ ମହାକାଶ ପର୍ଯ୍ୟନ୍ତ, ଭାରତ ଏବଂ ସିଙ୍ଗାପୁର ମିଳିତ ଭାବରେ ଆଗାମୀ ବର୍ଷଗୁଡ଼ିକରେ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ରାଜନୀତି ଏବଂ ଅର୍ଥନୀତିକୁ ନୂତନ ଗତି ଦେବ। ଏହା ଫଳରେ ପରିବହନ, ବିଜ୍ଞାନ ଓ ବ୍ୟାପାରରେ ଦୁଇ ଦେଶ ମିଶିକି ନୂଆ କାମ କରିବେ। ୱଙ୍ଗଙ୍କ ସହିତ ଗଣମାଧ୍ୟମ ସହିତ ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ସିଙ୍ଗାପୁର ଆମର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଏହା କେବଳ ଏକ ଆର୍ଥିକ ସହଭାଗୀତା ନୁହେଁ ବରଂ ସମାନ ମୂଲ୍ୟବୋଧ ଏବଂ ବିଶ୍ୱାସ ଉପରେ ଆଧାରିତ ଏକ ଗଭୀର ବନ୍ଧୁତା।’ ୱଙ୍ଗ ଏହା ମଧ୍ୟ ପୁନରାବୃତ୍ତି କରିଥିଲେ ଯେ ଅନିଶ୍ଚିତତାରେ ପରିପୂର୍ଣ୍ଣ ବିଶ୍ୱରେ, ଭାରତ-ସିଙ୍ଗାପୁର ସହଭାଗୀତା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।
ମୁମ୍ବାଇର ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟରେ ନିର୍ମିତ “ଭାରତ-ମୁମ୍ବାଇ କଣ୍ଟେନର ଟର୍ମିନାଲ”ର ଦ୍ବିତୀୟ ପର୍ଯ୍ୟାୟକୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକାଠି ଉଦଘାଟନ କରିଥିଲେ। ଏହି ପ୍ରକଳ୍ପରେ ସିଙ୍ଗାପୁରର ପିଏସ୍ଏ ଇଣ୍ଟରନ୍ୟାସନାଲ୍ ଏକ ବିଲିୟନ ଡଲାରରୁ ଅଧିକ ନିବେଶ କରିଛି।














