ବିଧାନସଭାର ଚଳିତ ଅଧିବେସନ ପାଇଁ ବିଜେପିର ତିନିଜଣ ବିଧାୟକଙ୍କୁ ବାଚସ୍ପତି ସସପେଣ୍ଡ୍ କରିଛନ୍ତି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଜୟନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସସ୍ପେଣ୍ଡ କରିଛନ୍ତି । ଫଳରେ ଚଳିତ ଅଧିବେସନରେ ସେମାନେ ଯୋଗ ଦେଇପାରିବେ ନାହିଁ । ଆଜି ବିଧାନସଭାରେ ଲୋକାୟୁକ୍ତ ସଂଶୋଧନ ବିଲ୍ ପାରିତ ହେବା ପରେ ବାଚସ୍ପତିଙ୍କ ପୋଡିଅମ ଉପରକୁ ବିରୋଧୀ ଦଳ ବିଧାୟକମାନେ ଚପଲ, କଲମ, ଇୟରଫୋନ ଫିଙ୍ଗିଥିଲେ । ବାଚସ୍ପତି ଗୃହକୁ ଅପରାହ୍ନ ଚାରିଟା ଯାଏଁ ମୁଲତବୀ ରଖିବା ସହ କିଏ ଚପଳ ଫିଙ୍ଗିଥିଲା, ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ଫୁଟେଜ ଦେଖିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟସଚେତକ, ଏବଂ ବିଜେପି ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଡାକିଥିଲେ । ଫୁଟେଜ ଦେଖିବା ପରେ ବାଚସ୍ପତି ବିଜେପିର ତିନି ବିଧାୟକଙ୍କୁ ଅବଶିଷ୍ଟ କାର୍ଯ୍ୟଦିବସରୁ ସସପେଣ୍ଡ କରିଛନ୍ତି । ତେବେ ବାଚସ୍ପତିଙ୍କ କାର୍ଯ୍ୟ ଅଗଣତାନ୍ତ୍ରିକ ବୋଲି କହିବା ସହ ପ୍ରତିବାଦରେ ବିଜେପି ବିଧାୟକମାନେ କକ୍ଷ୍ୟତ୍ୟାଗ କରିବା ସହ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here