ଲାଞ୍ଚ ନେଇ ଫସିଗଲେ ଢେଙ୍କାନାଳ ସଦର ଥାନା ଡିଏସ୍ପି ଇନ୍ଚାର୍ଜ ଅଭିନବ ଡାଳୁଆ। ଜଣେ କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ସେ ଧରାପଡିଛନ୍ତି । ତାଙ୍କ ଠାରୁ ଲାଞ୍ଚ ନେଇଥିବା ୩୦ ହଜାର ଟଙ୍କା ଜବତ ହୋଇଛି । ତେବେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପକ୍ଷରୁ ୮ଟି ସ୍ଥାନରେ ଚଢାଉ କରାଯାଇଛି । ଥାନା ପରିସରରେ ଥିବା ଇନଚାର୍ଜ ଡିଏସପିଙ୍କର କ୍ୱାଟର୍ସରେ ବି କରାଯାଇଛି ରେଡ୍ । ଥାନା ଭିତରେ ଇନଚାର୍ଜ ଡିଏସପିଙ୍କୁ ଜେରା ଚାଲିଛି । ନିକଟରେ ଇନସ୍ପେକ୍ଟରଙ୍କୁ ଡିଏସପିକୁ ପଦୋନ୍ନତି ପାଇଥିଲେ ଅଭିନବ ଡାଳୁଆ । ତେବେ ରାଉରକେଲା ଡିଏସପି ଭାବରେ ପୋଷ୍ଟିଂ ଅର୍ଡର ବି ବାହାରି ସାରିଥିଲା ।
ଅଭିଯୋଗକାରୀଙ୍କୁ ଶ୍ରୀ ଡାଳୁଆ ପୂର୍ବରୁ ଧମକ ଦେଇଥିଲେ। ଟଙ୍କା ନଦେଲେ ତାଙ୍କୁ କୋଇଲା ପରିବହନ ବେପାର କରିବାକୁ ଦେବେ ନାହିଁ ବୋଲି କହିଥିଲେ। ସେଥିପାଇଁ ଅଭିଯୋଗକାରୀ ଶ୍ରୀ ଡାଳୁଆଙ୍କୁ ଅଗଷ୍ଟ ୨୪ ତାରିଖରେ ୧୫ ହଜାର ଟଙ୍କା ଦେଇଥିଲେ। ତେବେ ଶ୍ରୀ ଡାଳୁଆ ତାଙ୍କୁ ଆହୁରି ଟଙ୍କା ମାଗିଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଉ ଆଜି ପୂର୍ବ ଯୋଜନା ପ୍ରକାରେ ଡିଏସ୍ପି ଇନ୍ଚାର୍ଜ ତାଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରି ପକାଇଥିଲେ।