ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବର ବିମାନବନ୍ଦର ଠାରେ ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟଶାସନ ସଚିବ, ପୋଲିସ ଡିଜି, ଏସଆରସି ପ୍ରମୁଖ ଉପସ୍ଥିତ ଅଛନ୍ତି । କ୍ଷୟକ୍ଷତି ସଂପର୍କରେ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଆର୍ଥିକ ପ୍ୟାକେଜ ଘୋଷଣା କରିବାର ସମ୍ଭାବନା ରହିଛି । ତେବେ ଏସଆରସି ଦେଇଥିବା ସୂଚନା ଅନୁଯାୟୀ ବୈଠକରେ ସେମାନେ କିଛି ଦାବି କରିନାହାଁନ୍ତି । କ୍ଷୟକ୍ଷତି ଆକଳନ ସପ୍ତାହକ ମଧ୍ୟରେ ହେବ ଏବଂ ଆକଳନ ପରେ ଦାବି କରାଯିବ ବୋଲି ସେ କହିଛନ୍ତି । ତେବେ ରାଜ୍ୟ ସରକାର ବାତ୍ୟା ଭଳି ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଦୀର୍ଘସୂତ୍ରୀ ଯୋଜନା ଉପରେ ଗୁରୁତ୍ବ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ହେବା ଦରକାର ବୋଲି ରାଜ୍ୟ ସରକାର କହିଛନ୍ତି । ପ୍ରଧାନମନ୍ତ୍ରୀ ବାତ୍ୟା ସମୀକ୍ଷା କରିବା ପରେ ଏରିୟଲ ସର୍ଭେ କରିଛନ୍ତି । ସଂଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀ ସହାୟତା ଘୋଷଣା କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।